ଆଜି ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଲେ ଦ୍ରୌପଦୀ ମୁର୍ମୁ

0 351

ନୂଆ ଦିଲ୍ଲୀ, 25/07/22 ( ପ୍ରତ୍ୟୁଷା ବ୍ୟୁରୋ ):

ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସେ ହୋଇଛନ୍ତି ଦେଶର ପଞ୍ଚଦଶ, ପ୍ରଥମ ଆଦିବାସୀ ଏବଂ ସର୍ବ କନିଷ୍ଠ ରାଷ୍ଟ୍ରପତି । ଆଜି ଠିକ୍ ସକାଳ ୧୦.୧୨ ମିନିଟ୍ ରେ ପାର୍ଲାମେଣ୍ଟ କେନ୍ଦ୍ରୀୟ ହଲ୍ ରେ ଆୟୋଜିତ ଭବ୍ୟ ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମଣା ଦ୍ରୌପଦୀଙ୍କୁ ଦେଶର ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହାପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ନୂଆ ରାଷ୍ଟ୍ରପତି । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ତାଙ୍କୁ ନିର୍ବାଚିତ କରିଥିବାରୁ ସେ ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣମାନଙ୍କର ଆତ୍ମୀୟତା, ବିଶ୍ୱାସ ମୋର ଦମ୍ଭ । ଓଡ଼ିଶାର ଏକ ନିପଟ ଆଦିବାସୀ ଗାଁରୁ ମୋର ଏ ଯାତ୍ରା । ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ । କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପାଇଛି । ଆଜି ଏକ ଐତିହାସିକ ମୁହୂର୍ତ୍ତ । ଦେଶବାସୀଙ୍କ ଆକାଶା, ଆକାଂକ୍ଷା ପୂରଣ କରିବି ।

ଗରିବଙ୍କ ହିତସାଧନ ଏବଂ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବି ବୋଲି କହିଥିଲେ । ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ସମେତ ମନ୍ତ୍ରୀ, ସାଂସଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଦ୍ରୌପଦୀ ଙ୍କ ଶପଥ ଗ୍ରହଣ ଉତ୍ସବକୁ ତାଙ୍କ ରାଇରଙ୍ଗପୁରବାସୀ ବେଶ୍ ଜାକଜମକରେ ପାଳନ କରିଛନ୍ତି । ସେଠାରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି । ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିଥିବାରୁ ଓଡ଼ିଶାବାସୀଙ୍କ ପାଇଁ ଆଜି ଐତିହାସିକର ମୁହୁର୍ତ୍ତ ହୋଇଛି ।

Leave A Reply

Your email address will not be published.