ଭୁବନେଶ୍ୱର : ୧୧ ମାର୍ଚ୍ଚ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ )
ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା,ଐତିହ୍ୟସ୍ଥଳୀର ପୁନରୁଦ୍ଧାର, ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ସହିତ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ କୁ ନେଇ କୁଟୀର ଶିଳ୍ପ ମାଧ୍ୟମରେ ଜିଲ୍ଲାବାସୀଙ୍କ ସମ୍ମୁଖରେ ରୋଜଗାର ସ୍ରୁଷ୍ଟି କରିବା ସକାଶେ ଏକ ସ୍ଵତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲାର ଜଣେ ନିର୍ବାଚିତ ପ୍ରତିନିଧି ହିସାବରେ ଚଳିତ ବିଧାନସଭା ଓ ଆଗାମୀ ସଂସଦ ଅଧିବେଶନରେ ଦୃଢ଼ ଭାବେ ଦାବୀ ଉପସ୍ଥାପନ କରି ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ରାଶି ସରକାରୀ ସ୍ତରରେ ଘୋଷଣା କରେଇବାର ଦାବୀ ନେଇ ଆଜି ମୟୂରଭଞ୍ଜର ଏକମାତ୍ର ଅଣ ରାଜନୈତିକ ସାମାଜିକ ସଂଗଠନ “ଭଞ୍ଜସେନା” ତରଫରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର ଆହ୍ଵାନ କ୍ରମେ ମୟୁରଭଞ୍ଜ ଜିଲ୍ଲା କର୍ଯ୍ୟକାରୀ ସଭାପତି ରବିନ୍ ମହାନ୍ତି, ଜିଲ୍ଲା ଯୁବଶାଖା କର୍ଯ୍ୟକାରୀ ସଭାପତି କିଷାନ କୁମାର ସାହୁ, ଜିଲ୍ଲା ଆଦିବାସୀ ଶାଖା ସାଧାରଣ ସମ୍ପାଦକ ସଞ୍ଜୟ ହାଁସଦା, ସେରଲ ମୁର୍ମୁ,ସଞ୍ଜୟ ହାଁସଦା, ରବୀନ୍ଦ୍ର ମାରାଣ୍ଡି ପ୍ରମୁଖ ଏକ ପ୍ରତିନିଧି ଦଳ ଆଜି ମାର୍ଚ୍ଚ ମାସ ୧୧ ତାରିଖ ବୁଧବାର ଦିନ ଭୁବନେଶ୍ଵର ଆସି ଜିଲ୍ଲାର ଦୁଇ ଜଣ ମନ୍ତ୍ରୀ ସହିତ ଅନ୍ୟାନ୍ୟ ବିଧାୟକ/ବିଧାୟିକା ଗଣଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରି ନିବେଦନ କରିଥିଲେ ଏବଂ ଅନ୍ୟ ଦୁଇ ସାଂସଦଙ୍କର ଉଦ୍ଧେଶ୍ୟରେ ଡାକ ଯୋଗେ ଦାବୀପତ୍ର ପ୍ରେରଣ କରାଯାଇଛି ବୋଲି କର୍ଯ୍ୟକାରୀ ସଭାପତି ରବିନ୍ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି | ମୟୁରଭଞ୍ଜ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧିଗଣମହାଶୟ, ମୟୂରଭଞ୍ଜର ଏକମାତ୍ର ଅଣ ରାଜନୈତିକ ସାମାଜିକ ସଂଗଠନ “ଭଞ୍ଜସେନା” ଦୀର୍ଘ ୨୮ ବର୍ଷ ଧରି ବିଭିନ୍ନ ଅବସରରେ ଜିଲ୍ଲାର ଏକାଧିକ ସମସ୍ୟା ଓ ବହୁ ପ୍ରତିକ୍ଷୀତ ଦାବି ଗୁଡ଼ିକୁ ନେଇ ସ୍ୱର ଉଠାଇ ଆସିଛି। ସେଥିମଧ୍ୟରୁ କିଛି ଦାବି ପୂରଣ ହୋଇଥିଲେ ମଧ୍ୟ ଅଧିକାଂଶ ଆଜି ପର୍ଯ୍ୟନ୍ତ ଅପୂରଣ କିମ୍ବା ଅଧାପନ୍ତରିଆ ହୋଇ ପଡ଼ିଛି। ଦୀର୍ଘ ବର୍ଷ ଧରି ଜିଲ୍ଲା ବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା,ଉନ୍ନତ ଶିକ୍ଷା ଦାନ ଯୋଗାଇବା ସହିତ ଚାଷୀ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସହିତ ଆଉ ଏକ ପ୍ରମୁଖ “ବେକାରୀ ସମସ୍ୟା” ମଧ୍ଯ ଜିଲ୍ଲା ବାସୀଙ୍କୁ ହତାଶ କରିଛି |ସରକାରୀ ସ୍ତରରେ ନିଯୁକ୍ତି ଗୋଟିଏ ପ୍ରକାର ବନ୍ଦ ଥିବା ଯୋଗୁଁ ଶିକ୍ଷିତ ଯୁବକ ଯୁବତୀ ହତାଶା ରେ ଦିନ ଅତିବାହିତ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଜନସଂଖ୍ୟାର ଶତକଡା ୫୦ ଭାଗ ରୁ ଉର୍ଦ୍ଧ୍ଵ ଲୋକେ ମୁଖ୍ୟତଃ ଚାଷ,ବନ୍ୟଜାତ ଦ୍ରବ୍ୟ ଗୋଟାଇ ଏବଂ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ଶିଳ୍ପ ସମାଗ୍ରୀ ପ୍ରସ୍ତୁତ କାର୍ଯ୍ୟ କରି ମଧ୍ୟ ଉଚିତ ବ୍ୟବସାୟୀକରଣ ଅଭାବରୁ ମଧ୍ୟ ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି ବିଗତ ସରକାରଙ୍କ ୨୪ ବର୍ଷ ବିରକ୍ତ ହୋଇ ଆମ ଜିଲ୍ଲାର ସାଧାରଣ ଜନତା ଯେଭଳି ଭାବରେ ଆପଣଙ୍କ ଦଳ ଉପରେ ଦୃଢ଼ ଆଶାର ସହିତ ଏକ ଐତିହାସିକ ବିଜୟ ଦେଇଛନ୍ତି ଆଉ ଏହା ଭିତରେ ପାଖାପାଖି ୨ ବର୍ଷ ହେଲାଣି ମାତ୍ର ଏଯାବତ୍ ସରକାରୀ ବେସରକାରୀ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସେମିତି କୌଣସି ଆଖିଦୃଶିଆ କର୍ଯ୍ୟ ହୋଇନାହିଁ ଅନ୍ତତଃ ପକ୍ଷେ ଆପଣଙ୍କର ସରକାରଙ୍କ ଏକ ନୈତିକ ଦାୟିତ୍ବ ଭାବରେ ମୟୂରଭଞ୍ଜ ବାସୀଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ଉପରେ ଦୃଷ୍ଟି ଦେଇ ସମାଧାନର ବାଟ ଖୋଜିବାକୁ ଚେଷ୍ଟା ମଧ୍ୟ ହେଉନାହିଁ ବୋଲି ଜିଲ୍ଲାର ଜନସାଧାରଣ ହୃଦବୋଧ କରୁଛନ୍ତି | ବର୍ତ୍ତମାନ ଜିଲ୍ଲାବାସୀ ବହୁ ମୌଳିକ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବେକାରୀ ସମସ୍ୟା ଅନେକ ମାତ୍ରାରେ ଜିଲ୍ଲାରେ ଦେଖାଦେଉଛି, ନିଜ ତଥା ନିଜ ପରିବାର ବର୍ଗଙ୍କର ଭରଣପୋଷଣ ପାଇଁ ଜିଲ୍ଲାରେ କୌଣସି କାମଧନ୍ଦାର ସୁଯୋଗ ନପାଇ ବାହାର ଜିଲ୍ଲା ରାଜ୍ଯକୁ ଦାଦନ ଖଟିବାକୁ ଯାଉଛନ୍ତି | ମାତ୍ର ପ୍ରତ୍ୟେକ ଦିନ ଖବରକାଗଜରେ କେବେ ଦାଦନକୁ ଯାଇ ଅତ୍ୟାଚାରିତ ହୋଇ ମୃତ୍ୟୁବରଣ କରୁଛନ୍ତି ତ ଆଉ କେତେବେଳେ ଆତ୍ମହତ୍ୟା କରୁଛନ୍ତି, ତାର ହିସାବ ରହୁନାହିଁ, ଏଠାରେ ଆମ ମନରେ ପ୍ରଶ୍ନ ଉଙ୍କି ମାରୁଛି କି, ଯଦି ଆମ ଜିଲ୍ଲାରେ ବିଶ୍ୱବିଖ୍ୟାତ ଶିମିଳିପାଳ ସହିତ ରହିଛି ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ। କଳା ମୁଗୁନି ପଥରରେ ନବମ ଦଶମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇ ରହିଅଛି ମୟୂରଭଞ୍ଜ ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ଵରୀ ମନ୍ଦିର ଓ ନିକଟସ୍ଥ କେସନା ଗ୍ରାମର କଳା ମୁଗୁନି ପଥରରେ ନିର୍ମିତ ଦୁର୍ଲଭ ହସ୍ତକଳା ଏବଂ ତା ସହିତ ବହୁ ପୁରାତନ ଐତିହ୍ୟ ସ୍ଥଳୀ ସେହିଭଳି ପଡ଼ି ରହିଛି । ବହୁ ବନ୍ୟଜାତ ଦ୍ରବ୍ୟ ଯେମିତିକି ବାଉଁଶ, ସବାଇ ଘାସ, ଶାଳପତ୍ର, କେନ୍ଦୁପତ୍ର, ମହୁଲ ଫୁଲ ଫଳ, ଲାଖ, ଝୁଣା, ମହୁ, ହରିଡ଼ା, ବାହାଡ଼ା, ଔଷଧୀୟ ବୃକ୍ଷ, ପୁଣି ରହିଅଛି ଢୋକ୍ରା ଶିଳ୍ପ, ମାଟିରୁ ପ୍ରସ୍ତୁତ ବିଭିନ୍ନ ଘରୋଇ ଉପକରଣ, ଟସର ସୁତାରୁ ପ୍ରସ୍ତୁତ ଶାଢ଼ି ଗାମୁଛା ସହିତ ଆଦିବାସୀ ମାନଙ୍କର ବିଭିନ୍ନ ପ୍ରକାରର ପୋଷାକ..! ମାତ୍ର ଏହିଗୁଡ଼ିକର ଉପଯୁକ୍ତ ପ୍ରଚାର ପ୍ରସାର ହେବା ସହିତ ସେଗୁଡ଼ିକ ବିକ୍ରି ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ଯୋଗୁଁ ବହୁ କାରିଗର ସେମାନଙ୍କ କୌଳିକ ବୃତ୍ତି ଛାଡି ମୁଲ ଲାଗିବାକୁ ବସିଲେଣି । ଏଣୁ ଜିଲ୍ଲାର ନିର୍ବାଚିତ ପ୍ରତିନିଧି ହିସାବରେ ଆମେ ଆପଣଙ୍କ ଠାରେ ନିମ୍ନଲିଖିତ କିଛି ସମସ୍ୟା ଉପସ୍ଥାପନ କରୁଅଛୁ |ସମସ୍ୟା ଗୁଡିକ ହେଲା ଶିମିଳିପାଳର ସୁରକ୍ଷା। ଆଜି ଜିଲ୍ଲାର ଗର୍ବ ଶିମିଳିପାଳ ଅଭୟାରଣ୍ୟ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବାରୁ ଜିଲ୍ଲାବାସୀ ଆପଣଙ୍କୁ ଧନ୍ୟବାଦ୍ ଦେଉଛନ୍ତି। ହେଲେ ସବୁ ସରକାରୀ ସୁରକ୍ଷା ଯୋଜନା ଥିବା ସତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବିଶ୍ୱ ପ୍ରସିଦ୍ଧ ବିରଳ କଳା ମହାବଳ ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ର ନିରନ୍ତର ଶିକାର ହେବା ସହିତ ବହୁ ମୂଲ୍ୟବାନ ବୃକ୍ଷ ଗୁଡିକ କଟା ଚାଲିଛି। ଯାହାଫଳରେ ଶିମିଳିପାଳ ଆଜି ତା’ର ପୂର୍ବ ଗୌରବ ହରାଇବାକୁ ବସିଲାଣି । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲଗାତାର ଭାବରେ ନିଶାଦ୍ରବ୍ୟ ଚାଷ ହେବା ସହିତ ଚୋରା ପଥର ଚାଲାଣ ଲାଗି ରହିଛି। ଏହାର ସ୍ଥାୟୀ ସମାଧାନ ଆମର ଏକ ଦୃଢ଼ ଦାବି। ଏଣୁ ଯଥାଶୀଘ୍ର ଶିମିଳିପାଳର ସମ୍ପୂର୍ଣ୍ଣ ସୁରକ୍ଷା ସହିତ ତାର ପୂର୍ବ ହୃତ ଗୌରବ ଫେରାଇ ଆଣିବା ପାଇଁ ଏକ ଶକ୍ତ ଯୋଜନା ପ୍ରସ୍ତୁତ କରାଯାଉ | ତା’ ସହିତ କେନ୍ଦ୍ର ସରକାରଙ୍କ (ଦର୍ଶନ -୨) ଯୋଜନାରେ ଶିମିଳିପାଳକୁ ସାମିଲ କରି କୋରାପୁଟର ଦେଓମାଳି ଭଳି ଉନ୍ନତି ମୂଳକ ପଦକ୍ଷେପ ନିଆଯାଉ। ଯଦ୍ୱାରା ଏହି ଅଞ୍ଚଳର ଅର୍ଥନୀତିର ବିକାଶ ହେବା ସହିତ ଜିଲ୍ଲାର ବହୁ ଯୁବକ ଯୁବତୀ ସ୍ବାବଲମ୍ବୀ ହୋଇପାରିବେ। ପରିବେଶ ଓ ପର୍ଯ୍ୟଟନର ବିକାଶ।*ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ତଥା ମୟୂରଭଞ୍ଜର ମୁକୁଟ ଶିମିଳିପାଳ ସମେତ ଏହାର ଚାରିପାଖରେ ଥିବା ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ ସ୍ଥଳୀର ବିକାଶ କରିବା ସହିତ ଦେଶ ଓ ବିଦେଶ ପର୍ଯ୍ୟଟକ ମାନଙ୍କ ରହିବା ଖାଇବା ନିମନ୍ତେ ସୁଲଭ ଶୌଚାଳୟ, ବିଶ୍ରାମ କକ୍ଷ, ପର୍ଯ୍ୟଟକଙ୍କ ଖାଇବା ପିଇବା ସହିତ ଆଞ୍ଚଳିକ ଖାଦ୍ୟ ତଥା କଳା ସଂସ୍କୃତିର ସାମଗ୍ରୀ ଏକ ଛୋଟ ଗ୍ୟାଲେରୀର ବ୍ୟବସ୍ଥା କରନ୍ତି ଓ ତାହାର ପରିଚାଳନା ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦିଅନ୍ତି ତେବେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରର ବାଟ ଫିଟିବ। ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଉ। କେସନା ଗ୍ରାମକୁ ଶିଳ୍ପୀ ଗ୍ରାମ ର ମାନ୍ୟତା ପ୍ରଦାନ କଳା ମୁଗୁନି ପଥରରେ ଶିଳ୍ପକଳାର କୌଳିକ ବୃତ୍ତି ନେଇ ବଞ୍ଚି ଆସୁଥିବା ଖିଚିଂ ନିକଟସ୍ଥ କେସନା ଗ୍ରାମକୁ ଶିଳ୍ପୀ ଗ୍ରାମ ଭାବରେ ଘୋଷଣା କରି ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ସହିତ ସେମାନଙ୍କ ସଂପର୍କ କରାଇବା ନିହାତି ଜରୁରୀ। ବନ୍ୟଜାତ ଦ୍ରବ୍ୟର ଉଚିତ୍ ବ୍ୟବସାୟୀକରଣ ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲକୁ ନେଇ ରୋଜଗାର ସୃଷ୍ଟି ହେଉ ଜିଲ୍ଲାରେ ପ୍ରଚୁର ପରିମାଣରେ ଉପଲବ୍ଧ ଶାଳପତ୍ର, ବାଉଁଶ, ମହୁଲ ସବାଇଘାସ ଭଳି ଲଘୁ ବନ୍ୟଜତ ଦ୍ରବ୍ୟକୁ ନେଇ ନୂତନ ରୋଜଗାର ସମ୍ବନ୍ଧୀୟ ଡିପିଆର ପ୍ରସ୍ତୁତ କରି ପ୍ରତି ଗାଁରେ ସେହି ସବୁ ଦ୍ରବ୍ୟର କୁଟୀର ଶିଳ୍ପ ପ୍ରତିଷ୍ଠା କରି ଆଦିବାସୀ ଓ ଅଧିବାସୀ ପରିବାର ଗୁଡ଼ିକୁ ଆତ୍ମନିର୍ଭରଶୀଳ କରାଯିବା ସହିତ ସେହି ସବୁ କଞ୍ଚାମାଲ, ବନଜାତ ଦ୍ରବ୍ୟକୁ ବଣ ଜଙ୍ଗଲରୁ ସଂଗ୍ରହ କରି ସେଗୁଡ଼ିକୁ ବିକି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଲକ୍ଷାଧିକ ଗରୀବ ପରିବାରଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ପ୍ରଦାନ କରାଯାଉ ଏବଂ ଜିଲ୍ଲାରେ ନିର୍ମିତ ହେଉଥିବା ଟସର ଜନିତ ପୋଷାକ ଏବଂ ଆଦିବାସୀ ସମାଜ ମାନଙ୍କର ପୋଷାକ ତିଆରି ଉପରେ ଗୁରୁତ୍ଵ ପ୍ରଦାନ କରାଯାଉ |ସେମିତି ମାଟିରୁ ପ୍ରସ୍ତୁତ ସମାଗ୍ରୀ ସହିତ ସମସ୍ତ କଞ୍ଚାମାଲ ରୁ ପ୍ରସ୍ତୁତ ବିଭିନ୍ନ ବସ୍ତୁ ଗୁଡିକର ଉପଯୁକ୍ତ ବ୍ୟବସାୟୀକରଣ କରିବା ସୁନିଶ୍ଚିତ କରାଯାଉ | ନୂତନ ଏକ ବୃହତ୍ ସରକାରୀ ଉଦ୍ୟୋଗ ପ୍ରତିଷ୍ଠା ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁ ସଂଖ୍ୟାରେ ସରକାରୀ ଉଦ୍ୟୋଗ ଗଢିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଉଥିବା ବେଳେ ବେକାରୀ ସମସ୍ୟାରେ ଜର୍ଜରିତ ମୟୂରଭଞ୍ଜ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଏତେ ବୈମାତୃକ ମନୋଭାବ କାହିଁକି..?ଯଥାଶୀଘ୍ର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମ ଧରଣର ଏକାଧିକ ନୂତନ ସରକାରୀ ଉଦ୍ୟୋଗ କରିବାର ଘୋଷଣା କରାଯାଉ | ଅତି ଦୁଃଖର ସହିତ କହିବାକୁ ପଡୁଛି ଯେ ଉପରୋକ୍ତ ଦାବି ଗୁଡ଼ିକୁ ଭଞ୍ଜସେନା ଦୀର୍ଘବର୍ଷ ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇପଡିଛନ୍ତି । ଏଣୁ ପୁଣିଥରେ ଆମ ସଂଗଠନ ଉକ୍ତ ଦାବି ଗୁଡ଼ିକୁ ଆପଣଙ୍କ ସମ୍ମୁଖରେ ଦୋହରାଇବା ସହିତ ବିଶେଷ କରି ଜିଲ୍ଲା ଯୁବପିଢିଙ୍କ ବେରୋଜଗାରୀ ସମସ୍ୟାର ସମ୍ପୂର୍ଣ୍ଣ ଭାବେ ଦୁରୀକରଣ କରିବା, କୁଟୀର ଶିଳ୍ପର ପ୍ରଚାର ପ୍ରସାର, ହସ୍ତଶିଳ୍ପର ବଜାରୀକରଣ ସହିତ ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସମସ୍ତ ସମ୍ଭାବନା ସୃଷ୍ଟି କରୁଥିବା ବିଷୟ ବସ୍ତୁ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେଇ ତାହାର ସଫଳ ରୂପାୟନ କରିବା ପାଇଁ ଯଥାଶୀଘ୍ର ସରକାରୀ ସ୍ତରରେ ତତ୍ପରତା ପ୍ରକାଶ କରନ୍ତୁ । ଏଣୁ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା,ଐତିହ୍ୟସ୍ଥଳୀର ପୁନରୁଦ୍ଧାର, ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ସହିତ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ କୁ ନେଇ କୁଟୀର ଶିଳ୍ପ ମାଧ୍ୟମରେ ଜିଲ୍ଲାବାସୀଙ୍କ ସମ୍ମୁଖରେ ରୋଜଗାର ସ୍ରୁଷ୍ଟି କରିବା ସକାଶେ ଏକ ସ୍ଵତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲାର ଜଣେ ନିର୍ବାଚିତ ପ୍ରତିନିଧି ହିସାବରେ ଚଳିତ ବିଧାନସଭା ଓ ଆଗାମୀ ସଂସଦ ଅଧିବେଶନରେ ଦୃଢ଼ ଭାବେ ଦାବୀ ଉପସ୍ଥାପନ କରି ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ରାଶି ସରକାରୀ ସ୍ତରରେ ଘୋଷଣା କରେଇବାକୁ ନିବେଦନ କରିଥିଲେ ।