ଓଡିଶାର ବିଶିଷ୍ଟ ବ୍ୟକ୍ତିମାନେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା

0 193

ଭୁବନେଶ୍ବର,22/07/22 (ପ୍ରତ୍ୟୁଷା ବ୍ୟୁରୋ):

ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ପ୍ରତିଭା ରାୟ, ସ୍ୱନାମଧନ୍ୟ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, କୃଷିବିତ୍ ପଦ୍ମଶ୍ରୀ ସାବରମତି, ଖ୍ୟାତିସମ୍ପନ୍ନ କବି ତଥା ଲୋକକବି ପଦ୍ମଶ୍ରୀ ହଳଧର ନାଗ୍, ସମାଜସେବୀ ପଦ୍ମଶ୍ରୀ ଦୈତାରୀ ନାଏକ ପ୍ରମୁଖ ଶ୍ରୀମତୀ ମୁର୍ମୁଙ୍କୁ ବାସଭବନରେ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଓଡ଼ିଶାର ଏହି ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ନୂଆଦିଲ୍ଲୀ ଅଶୋକା ହୋଟେଲରେ ରାତ୍ରୀ ଭୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ କରିଥିବା ବେଳେ ସେମାନେ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ନୈଶ୍ୟ ଭୋଜିରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମେତ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମ ପୁରସ୍କାର ବିଜେତା ଓ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ ଅବସରରେ ଫଟୋ ଟ୍ୱିଟ୍ କରି କହିଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ ସମସ୍ତେ ଗୋଟିଏ ଫ୍ରେମରେ ଅଛନ୍ତି । ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ଏବଂ ଜନଜାତି ଆଦର୍ଶ ; ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ବିଜୟ ଗଣତନ୍ତ୍ରର ବିବିଧତାକୁ ଦର୍ଶାଉଛି । ଓଡ଼ିଶା ବିଶେଷ ଭାବରେ ତୃଣମୂଳରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଖୁସି ଓ ଗର୍ବର ବିଷୟ ବୋଲି ଟ୍ୱିଟ୍ କରିଛନ୍ତି ।

ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା 25 ତାରିଖରେ ଶପଥ ଗ୍ରହଣ କରିବେ । ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତ ଓ ସମଗ୍ର ଦେଶରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.