କଣ୍ଟିଲୋ ,୨୪/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଭାରତୀୟ ବିଶ୍ଵାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ କଲେ ଅଂଶଗ୍ରହଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ଅପରାହ୍ନରେ ସେ ଛତିଶଗଡ଼ର ରାୟପୁରରୁ ଭୁବନେଶ୍ବରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ବରରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିଥିଲେ ଏବଂ ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ଵାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ। କାଳିଆପଲ୍ଲୀ ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବିକଶିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ସ୍ଥାନ ଏବଂ ଅଞ୍ଚଳର ବିକାଶରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ସାକାର ରୂପ ଦେବା ପାଇଁ ସମସ୍ତେ ଆଗକୁ ଆସିବା ଉଚିତ।
