ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ । ପ୍ରଥମ ଦିବସରୁ କମ୍ପିଲା ।

0 176

ଭୁବନେଶ୍ଵର , ୨୬/୧୧ ( ପ୍ରତ୍ୟୁଷା ବ୍ୟୁରୋ ) : ସପ୍ତଦଶ ବିଧାନ ସଭାର ଦ୍ଵିତୀୟ ଅଧିବେଶନ ତଥା ଶୀତ ଅଧିବେଶନ ୨୬ ନଭେମ୍ବର ୨୦୨୪ ମଙ୍ଗଳ ବାର ପୂର୍ବାହ୍ନ ୧୧ ଟାରୁ ଆରମ୍ଭ ହୋଇଛି। ବିଧାନ ସଭାର ପରମ୍ପରା ଅନୁସାରେ ବିଧାନ ସଭା ଗୃହ ପ୍ରାଙ୍ଗଣରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପହଞ୍ଚିବା ପରେ ରାଜ୍ୟ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହି ସମୟ ଭିତରେ ଗୃହମଧ୍ୟରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶାସକ, ବିରୋଧୀ ଦଳ ସଦସ୍ୟ ମାନେ ଉପସ୍ଥିତ ହୋଇସାରିଥିଲେ।

ଏହା ପରେ ବାଚସ୍ପତି ଗୃହରେ ଜାତୀୟ ସଂଗୀତ ଗାନ ପାଇଁ ଅନୁରୋଧ କରିବା ପରେ ଯନ୍ତ୍ର ସଂଗୀତ ବାଜି ଉଠିଥିଲା ଓ ସମସ୍ତ ସଦସ୍ୟ ନିଜ ନିଜ ସ୍ଥାନରେ ଠିଆ ହୋଇ ଜାତୀୟ ସଂଗୀତକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଗୃହରେ ଏହାପରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଦିବଂଗତ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ଵର ମାଝୀ, ମକରଧ୍ବଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡ଼ା ଓ ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କୁ ଗୃହର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା। ଗୃହର ନେତା, ବିରୋଧୀ ଦଳ ନେତା ଓ ବାଚସ୍ପତି ଗୃହରେ ଦିବଂଗତ ପୂର୍ବତନ ମନ୍ତ୍ରୀ ତଥା ସଦସ୍ୟ ମାନଙ୍କ ଜୀବନକାଳରେ କରିଥିବା ଗୁଣାବଳୀ ବର୍ଣ୍ଣନା କରିଥିଲେ।ପରେ ପରେ ଦିବଂଗତଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ବାଚସ୍ପତି ଗୃହରେ ପ୍ରଶ୍ନକାଳ ଆରମ୍ଭ କରିବାକୁ ଯାଉଥିବା ବେଳେ ବିଜେଡ଼ି ଓ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟ ଏହି ଆସି ହଟ୍ଟଗୋଳ କରିଥିଲେ।ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଗୃହକୁ ୧୨.୨୫ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

Leave A Reply

Your email address will not be published.