ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ।

0 63

ଭୁବନେଶ୍ୱର,୧୩ ।୩ ( ପ୍ରତ୍ୟୁଷା ବ୍ୟୁରୋ ) : ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ଆର୍ଥିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା ଆର୍ଥିକ କ୍ଷେତ୍ରରେ ଅବହେଳିତ ଜିଲା ଗୁଡ଼ିକର ସନ୍ତୁଳିତ ବିକାଶ ସହ ଆଞ୍ଚଳିତ ବୈଷ୍ୟମତା ଦୂର ହୋଇପାରିବ । ପ୍ରାୟ ଏକ କୋଟି ଜନତା ବସବାସ କରୁଥିବା ଉତ୍ତର ଓଡ଼ିଶାର ଏହି ଚାରି ଜିଲା ଖଣି ଖାଦାନରେ ପରିପୂର୍ଣ୍ଣ । ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜକୋଷକୁ ଉତ୍ତର ଓଡ଼ିଶାର ଯୋଗଦାନ ସର୍ବାଧିକ ରହିଛି । ତଥାପି ବିକାଶ କ୍ଷେତ୍ରରେ ଉଭୟ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବଂ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ଉତ୍ତର ଓଡ଼ିଶା ଉପେକ୍ଷିତ ହୋଇରହିଯାଇଛି ।ଦୀର୍ଘ ସମୁଦ୍ରତଟ, ଖଣିଜ ସଂପଦ, ବିସ୍ତୀର୍ଣ୍ଣ କୃଷିଜମି ଏବଂ ଅନ୍ୟାନ୍ୟ ଆର୍ଥିକ ବିକାଶ ନିମନ୍ତେ ସମସ୍ତ ସୁଯୋଗ ଥିବା ସତ୍ତ୍ୱେ ସ୍ଥାନୀୟ ଯୁବପୀଢ଼ି ରୋଜଗାର ଅନ୍ୱେଶଣରେ ପଳାୟନ କରୁଛନ୍ତି । ଭିତ୍ତିଭୂମିର ଅଭାବ, ଦକ୍ଷତା ବିକାଶ ଓ ତାଲିମ ଅଭାବ ଏବଂ କମ୍‍ ପୁଞ୍ଜିନିବେଶ ସ୍ଥାନୀୟ ଆର୍ଥିକ ବିକାଶକୁ ରୋକିଛି । ଯଦ୍ୱାରା ବେକାରୀ ବୃଦ୍ଧି ସହ ଜନତାଙ୍କ ଜୀବନମାନ ପ୍ରଭାବିତ ହେଉଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଉଦାହରଣ ହେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ପଶ୍ଚିମ ଓଡ଼ିଶାର ଆର୍ଥିକ ଗତିବିଧି ଏବଂ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଡବ୍ଲୁଓଡିସି ଗଠନ ହେବା ଦିନ ଠାରୁ ଏପର୍ଯ୍ୟନ୍ତ ୨୫୦୦ କୋଟି ଟଙ୍କା ବ୍ୟୟରେ ୪୨୮୨୦ଟି ପ୍ରକଳ୍ପ ନିର୍ମାଣ ହୋଇଛି । ଏହାର ସିଧାସଳଖ ଲାଭ ପଶ୍ଚିମ ଓଡ଼ିଶାବାସୀ ପାଇଛନ୍ତି । ଠିକ୍‍ ସେହିଭଳି ସ୍ୱତନ୍ତ୍ର ଉତ୍ତର ଓଡ଼ିଶା ବିକାଶ ଗଠନ ଦ୍ୱାରା ପଛୁଆ ଅଞ୍ଚଳ ଗୁଡ଼ିକୁ ଫୋକସ କରାଯାଇ ସ୍ଥାନୀୟ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ ।ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା କୃଷି କ୍ଷେତ୍ରର ବିକାଶ ଓ କୃଷକଙ୍କ କଲ୍ୟାଣ, ଡିଜିଟାଲ କାପାବିଲିଟି ବିଲ୍ଡିଂ, ନୂତନ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହନ, ବୟନ ଶିଳ୍ପ ସଂସ୍ଥାକୁ ସ୍ୱତନ୍ତ୍ର ଗୁରୁତ୍ୱ, ପର୍ଯ୍ୟଟନ ଶିଳ୍ପର ବିକାଶ, ଶିକ୍ଷା ସହ ତାଲିମକୁ ଯୋଡ଼ିବା, ଖଣି କ୍ଷେତ୍ରରେ ପ୍ରକ୍ରିୟାକରଣ ଏବଂ ମ୍ୟାନୁଫ୍ୟାକଚରିଂ ଶିଳ୍ପକୁ ପ୍ରୋତ୍ସାହନ, ସୌର ଓ ପବନ ଶକ୍ତି ବିନିଯୋଗ ଦ୍ୱାରା ଅକ୍ଷୟଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ଉଡ଼ାଣ ଯୋଜନାରେ ରାସଗୋବିନ୍ଦପୁର ଠାରେ ନୂତନ ବିମାନବନ୍ଦର ନିର୍ମାଣ ଦ୍ୱାରା ଯାତାୟତ କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିବ ବୋଲି ସେ ଦର୍ଶାଇଛନ୍ତି । ମଧ୍ୟ ଓଡ଼ିଶାର ଭୁବନେଶ୍ୱର ଓ କଟକ, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର, ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲା ଠାରେ ମହାନଗର ନିଗମ ଗଠନ ହୋଇଥିଲେ ମଧ୍ୟ ଉତ୍ତର ଓଡ଼ିଶାର ବାଲେଶ୍ୱରକୁ ଏପର୍ଯ୍ୟନ୍ତ ମହାନଗର ନିଗମ ମାନ୍ୟତା ମିଳିପାରିନାହିଁ । ଓଡ଼ିଶା ସରକାରଙ୍କ ଦ୍ୱାରା ଉତ୍ତର ଓଡ଼ିଶାର ବାଲେଶ୍ୱର ସହରକୁ ଉପେକ୍ଷା ସମଗ୍ର ଉତ୍ତର ଓଡ଼ିଶାବାସୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି । ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ସମୟର ଆବଶ୍ୟକତା ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଗଠନ କରିବା ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଦାବି କରିଛନ୍ତି ।

Leave A Reply

Your email address will not be published.