ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ବକ୍ତୃତା “ଏକ ଦେଶ : ଏକ ନିର୍ବାଚନ” ସାହସିକ ପ୍ରସ୍ତାବ କିନ୍ତୁ ସେଥିପାଇଁ ଜାତୀୟ ସହମତି ଜରୁରୀ : ସାଂସଦ ସୁଜିତ କୁମାର ।

0 75

ଭୁବନେଶ୍ୱର, 20/11/23 ( ପ୍ରତ୍ୟୁଷା ବ୍ୟୁରୋ): ‘ଏକ ଦେଶ : ଏକ ନିର୍ବାଚନ’ ଏକ ସାହସିକ ପ୍ରସ୍ତାବ । ଏହାଫଳରେ ଭାରତୀୟ ଗଣତନ୍ତ୍ରର ଚିତ୍ର ବଦଳିଯାଇପାରେ ଓ ଜାତୀୟ ରାଜନୈତିକ ପରିବେଶ ପ୍ରଭାବିତ ହୋଇପାରେ । କିନ୍ତୁ ଏହାକୁ ଜାତୀୟ ସହମତିଭିରିରେ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ନରେ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ବକ୍ତୃତା ପ୍ରଦାନ କରି ସୁଜିତ କୁମାର ଏହାକୁ ସମର୍ଥନ ଜଣାଇଛନ୍ତି ଓ ସାରା ଦେଶରେ ଏହି ପ୍ରସଙ୍ଗରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ଆନକୂଲ୍ୟରେ ସ୍ଥାନୀୟ ରେଡ଼କ୍ରସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁଜିତ କୁମାର କହିଲେ ଯେ, ଏହା ଫଳରେ ଦେଶରେ ନିର୍ବାଚନ ବ୍ୟୟ ୫୦ ପ୍ରତିଶତ ହ୍ରାସ, ସରକାରୀ ନୀତି ନିର୍ଦ୍ଧାରଣରେ ସୁବିଧା, ସ୍ୱଚ୍ଛତା ପାଳନ, ଭୋଟରମାନଙ୍କ ଆଗ୍ରହ ଓ ଉତ୍ସାହ ବୃଦ୍ଧିର ସମ୍ଭାବନା ରହିଛି । ସେ ୧୯୬୭ ପରଠାରୁ ଏକକ ନିର୍ବାଚନ ବାବଦରେ ନିର୍ବାଚନ କମିଶନ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟି, ବିଧୂ ଆୟୋଗ ଏବଂ ନୀତି ଆୟୋଗ ଇତ୍ୟାଦିର ରିପୋର୍ଟ ସମ୍ପର୍କରେ ‘ଏକ ଦେଶ : ଏକ ନିର୍ବାଚନ’ ବାବଦରେ ପ୍ରଦତ୍ତ ସୁପାରିଶ ଗୁଡ଼ିକର ବିଶ୍ଳେଷଣ କରିଥିଲେ । ଅପରପକ୍ଷରେ କେତେକ ପ୍ରତିବନ୍ଧକ ରହିଥିବା ନେଇ ସେ କହିଥିଲେ ଯେ, ଏଥପାଇଁ ସମ୍ବିଧାନ ସଂଶୋଧନ, ସାରା ଦେଶରେ ଏକକ ଭୋଟର ତାଲିକା ପ୍ରଣୟନ, ଲୋକସଭା ଓ ଦଳ ବଦଳ ନିରୋଧ ଆଇନରେ ପରିବର୍ତ୍ତନ ହେବା ଆବଶ୍ୟକ । ଏପରି ନିର୍ବାଚନ ହେଲେ ଆଞ୍ଚଳିକ ଦଳ ଗୁଡ଼ିକ କ୍ଷତିଗ୍ରସ୍ତ ହେବେ ବୋଲି କରାଯାଉଥିବା ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଶ୍ରୀ ସୁଜିତ କୁମାର କହିଥିଲେ ଯେ, ‘ଏକ ଦେଶ : ଏକ ନିର୍ବାଚନ’ ପ୍ରସଙ୍ଗ କ୍ଷମତାସୀନ ବିଜେପି ଦଳର ଇସ୍ତାହାରରେ ରହିଥିଲା ।

Leave A Reply

Your email address will not be published.