ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଚଳଚିତ୍ର “ଦମନ” ପ୍ରଦର୍ଶିତ • ଏହା ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ଚଳଚିତ୍ର – ମୁଖ୍ୟ ଶାସନ ସଚିବ ପ୍ରତି ଜିଲ୍ଲାରେ “ଦମନ” ଚଳଚିତ୍ର ପ୍ରଦର୍ଶନ ପାଇଁ ପରାମର୍ଶ

0 134

ଭୁବନେଶ୍ୱର ତା-20.11.2022 (ପ୍ରତ୍ୟୁଷା ବ୍ୟୁରୋ):ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ “ଦମନ” ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ ।

ଚଳଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହା ହିନ୍ଦୀ ଭାଷାରେ ଡବିଂ ହେବାକୁ ଯାଉଛି । ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ । ବିଭିନ୍ନ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି ।

ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟ ପ୍ରଦର୍ଶିତ “ଦମନ” ଚଳଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ସହଯୋଗରେ ଆଜି ଦମନ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ । ଓଡ଼ିଶା ଚଳଚିତ୍ର ନିଗମର ସହଯୋଗ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଚଳଚିତ୍ରର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଶ୍ଚ କନଭେନସନ ସେଣ୍ଟରଠାରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

Leave A Reply

Your email address will not be published.