ଓଏସଡିଏର ଲେଟ୍ସ ପ୍ଲେ ଆଇଟିଆଇ ଯୋଜନା ନିମନ୍ତେ ତାଲିମ ସମାପ୍ତ କଲେ ସ୍ପୋର୍ଟ୍ସ ଚେଞ୍ଜ ଲିଡର

0 180

ଭୁବନେଶ୍ବର, 29/07/22 (ପ୍ରତ୍ୟୁଷା ବ୍ୟୁରୋ ):ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଏବଂ ଟାଟା ଷ୍ଟ୍ରାଇଭ ପକ୍ଷରୁ ସରକାରୀ ଆଇଟିଆଇରେ ନିଯୁକ୍ତ ୧୫ ଜଣ ସ୍ପୋର୍ଟ୍ସ ଚେଞ୍ଜ ଲିଡରମାନଙ୍କୁ ଦଶ ଦିନିଆ ତାଲିମ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଫଳତାର ସହ ତାଲିମ ପ୍ରାପ୍ତ କରିଥିବା ଚେଞ୍ଜ ଲିଡରମାନଙ୍କୁ ଓଏସଡିଏର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ, ଶ୍ରୀ ଆର୍ ଭିନିଲ କ୍ରୀଷ୍ଣା, ଓଏସଡିଏ ସିଇଓ ଶ୍ରୀ ରେଘୁ ଜି ଏବଂ ଓଡିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର ନିର୍ଦ୍ଦେଶକ ଶ୍ରୀ ରାଜୀବ ସେଠ ତାଲିମ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଓଏସଡିଏ ଅଧ୍ୟକ୍ଷ ଶ୍ରୀ ବାଗ୍ଚୀ ଏବଂ କ୍ରୀଡା ଶାସନ ସଚିବ, ଶ୍ରୀ କ୍ରୀଷ୍ଣା ଯୁବ ଚେଞ୍ଜ ଲିଡରମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ଜୀବନର ନୂତନ ତଥା ସମୃଦ୍ଧ ପର୍ଯ୍ୟାୟ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଚେଞ୍ଜ ଲିଡରମାନଙ୍କୁ ଓଡିଶାର ବିଭିନ୍ନ ସରକାରୀ ଆଇଟିଆଇରେ ନିଯୁକ୍ତି ଦିଆଯାଇଛି, ସେମାନେ ପ୍ରଶିକ୍ଷାର୍ଥୀମାନଙ୍କର ସାମଗ୍ରିକ ବିକାଶରେ ସହାୟତା ପ୍ରଦାନ କରିବେ । ପ୍ରଶିକ୍ଷାର୍ଥୀମାନଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଏହି ଚେଞ୍ଜ ଲିଡର ମାନେ ତାଲିମ ଦେବେ I ଉଲ୍ଲେଖଯୋଗ୍ୟ, ଏହି ଲିଡରମାନେ ଓଡିଶା କ୍ରୀଡା ଛାତ୍ରବାସର ପୂର୍ବତନ କ୍ରୀଡାବିତ୍ ଅଟନ୍ତି ।

ବୃତ୍ତିଗତ ଜୀବନରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେଉଥିବାରୁ ସେମାନେ ଓଏସଡିଏ ଏବଂ ଟାଟା ଷ୍ଟ୍ରାଇଭକୁ କୃତଜ୍ଞତା ଜଣାଇଛନ୍ତି । ଓଏସଡିଏ, କ୍ରୀଡା ବିଭାଗ ଏବଂ ଟାଟା ଷ୍ଟ୍ରାଇଭର ମିଳିତ ସହଭାଗିତାରେ “ ଲେଟ୍ ଅସ୍ ପ୍ଲେ ଆଇଟିଆଇ ” ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହାକୁ ଟାଟା ଷ୍ଟ୍ରାଇଭ ଦ୍ୱାରା ଡିଜାଇନ ଏବଂ କାର୍ଯ୍ୟକାରୀ କରାଯାଇଛି । ଉଲ୍ଲେଖଯୋଗ୍ୟ, ଏହି ସ୍ପୋର୍ଟ୍ସ ଚେଞ୍ଜ ଲିଡରମାନେ ଓଡିଶାର ୧୭ ଗୋଟି ସରକାରୀ ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିବେ । ଏହି ୧୫ ଜଣ ସ୍ପୋର୍ଟ୍ସ ଚେଞ୍ଜ ଲିଡରମାନେ ଶାରିରୀକ ଓ ମାନସିକ ରୂପାନ୍ତରଣ କୌଶଳ ଉପରେ ୧୦ ଦିନିଆ ତାଲିମ ନେଇଥିଲେ । ଓଏସଡିଏ, କ୍ରୀଡା ଓ ଯୁବ ସେବା ବିଭାଗ, ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଓ ଟାଟା ଷ୍ଟ୍ରାଇଭର ଅଧିକାରୀଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଏହି ତାଲିମ ଶେଷ ହୋଇଥିଲା I

Leave A Reply

Your email address will not be published.