କର୍ପୋରେଟରଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଲେ ମେୟର

0 15

ଭୁବନେଶ୍ୱର : ୨୯/୧୦( ପି ଏନ ଏସ ):ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗତ କାଲି ବା 27 ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର 45 ତମ ସାଧାରଣ ବୈଠକ ଆରମ୍ଭ ହୋଇଥିଲା । ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ 4 ନମ୍ବର ଓ୍ୱାର୍ଡ କର୍ପୋରେଟର ସ୍ୱର୍ଗତ ସୁକୁମାର ସାହୁଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସମୟରେ 37 ନମ୍ବର ଓ୍ୱାର୍ଡ କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ ଗୃହ କାର୍ଯ୍ୟ ଚାଲୁଥିବାର ଦୃଶ୍ୟକୁ ସଭାପତିଙ୍କ ବିନା ଅନୁମତିରେ ଗୃହ ମଧ୍ୟରେ ବୁଲି ବୁଲି ସୋସିଆଲ ମିଡିଆରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିଥିଲେ । ପୂର୍ବରୁ କର୍ପୋରେସନ ଗୃହ କାର୍ଯ୍ୟ କେହି ମୋବାଇଲରେ ଏପରି ନ କରିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହାକୁ ଅମାନ୍ୟ କରି ତାଙ୍କ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ କରିଚାଲିଥିଲେ । କେବଳ ପ୍ରସାରଣ ନୁହେଁ, ମାନନୀୟା ମେୟର, କମିଶନର ଏବଂ ଅଧିକାରୀମାନଙ୍କୁ ଖରାପ ଭାଷାରେ ଚଢା ଗଳାରେ ପ୍ରଶ୍ନ କରିଥିଲେ । ଶ୍ରୀମତୀ ପାଲଙ୍କୁ ଏଥିରୁ ନିବୃତ୍ତ ହେବା ପାଇଁ ମାନନୀୟା ମେୟରଙ୍କ ସହ ବହୁ କର୍ପୋରେର ବାରଣ ମଧ୍ୟ କରିଥିଲେ । ହେଲେ ସେ କାହାରି କଥା ନ ଶୁଣି ଲାଇଭ ଷ୍ଟ୍ରିମିଂ ଜାରି ରଖିଥିଲେ । ଏପରିକି ଯେଉଁ କର୍ପୋରେଟର ତାଙ୍କର ଏହି ଆଚରଣଙ୍କୁ ବାରଣ କରୁଥିଲେ, ସେମାନଙ୍କ ସହ ଚଢା ଗଳାରେ ଯୁକ୍ତିକରୁଥିଲେ । ଫଳରେ ବହୁ କର୍ପୋରେଟର ଶ୍ରୀମତୀ ପାଲଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରିଥିଲେ ମଧ୍ୟ ସେ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ଓଲଟି କର୍ପୋରେଟରମାନଙ୍କର ମାଇକ୍ ଧରି ଅତ୍ୟନ୍ତ ଚଢା ଗଳାରେ କର୍ପୋରେଟର, ମେୟର, କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ପ୍ରଶ୍ନ ପଚାରି ଲାଇଭ କରିଚାଲିଥିଲେ । ସୂଚନା ଯୋଗ୍ୟକି ଶ୍ରୀମତୀ ପାଲଙ୍କର ଏହି କାର୍ଯ୍ୟକଳାପରେ ଗୃହର ଅମର୍ଯ୍ୟାଦା ହେଉଥିବା ଅଭିଯୋଗ କରି ବହୁ କର୍ପୋରେଟର ନିଜ ନିଜର ଆସନ ଛାଡି ପୋଡିୟମ ନିକଟକୁ ଚାଲିଆସିଥିଲେ । ଫଳରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ପରିସ୍ଥିତିକୁ ସମ୍ଭାଳିବା ସହ ମାନନୀୟା ମେୟର, କର୍ପୋରେସନ ଆଇନ 2003ର ଧାରା 114, ଉପଧାରା 5 ଅନୁଯାୟୀ, ସଭାକାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଗୃହରୁ ଶ୍ରୀମତୀ ପାଲଙ୍କୁ ନିଲମ୍ବିତ କରିଥିଲେ । ବୈଠକରୁ ନିଲମ୍ବନ ହେବା ପରେ ମଧ୍ୟ ଶ୍ରୀମତୀ ପାଲ, କକ୍ଷତ୍ୟାଗ କରିନଥିଲେ । ବୈଠକ ଶେଷ ପର୍ଯ୍ୟନ୍ତ ନିଜ ଆସନରେ ବସି ରହିଥିଲେ । ପରେ ପରିସ୍ଥିତି ଶାନ୍ତ ହୋଇଥିଲା ଏବଂ ଗୃହ ସୁରୁଖୁରୁରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ କର୍ପୋରେଟର ଓ ବିଏମ୍ ସିର ବିଭିନ୍ନ ଉପବିଭାଗରୁ ଆସିଥିବା ଅନେକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । କର୍ପୋରେସନ ଚାଲିଥିବା ସମୟରେ ଗୃହର ମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ ବୋଲି କହିଛନ୍ତି ମାନନୀୟା ମେୟର ।

Leave A Reply

Your email address will not be published.