ଖୋର୍ଦ୍ଧା : ୨/୧୦ ( ପ୍ରତ୍ୟୁଷା ବ୍ୟୁରୋ ) ସ୍ୱେଚ୍ଛାସେବୀ ସଂଗଠନ ସାକାର (SAKAR) ଓ କମନ୍ ହେଲଥ୍ (Common Health) ର ମିଳିତ ଉଦ୍ୟମରେ ସେପ୍ଟେମ୍ବର ୨୮ ତାରିଖରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ଡାବରଧୁଆ ପଞ୍ଚାୟତରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଏଥିରେ ଆଶା (ASHA), ଏ.ଏନ୍.ଏମ୍ (ANM) ଓ ଅଙ୍ଗନବାଡ଼ି କର୍ମୀ (AWW), କିଶୋର-କିଶୋରୀ, ଗର୍ଭବତୀ ମହିଳା, ପ୍ରସବ ପରବର୍ତ୍ତୀ ମା’, କ୍ଲଷ୍ଟର ସମ୍ବଳ ଅଧିକାରୀ (CRP) ଓ ଅନ୍ୟମାନେ ଯୋଗଦେଇଥିଲେ।ଅନୁଗୁଳର ପବିତ୍ର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସୁମନ୍ତ କୁମାର ପଟେଲ ଅନିଚ୍ଛାକୃତ ଗର୍ଭଧାରଣର ସମାପ୍ତି, ସୁରକ୍ଷିତ ଗର୍ଭପାତ ଓ ଏ.ଏନ୍.ଏମ୍- ଆଶାକର୍ମୀ ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗର୍ଭପାତ ସମ୍ପର୍କିତ ସେବା ଯୋଗାଇବା ସମୟରେ ଗୋପନୀୟତା, ମର୍ଯ୍ୟାଦା ଓ ସମ୍ମାନ ରକ୍ଷା କରିବା ସହ ଗର୍ଭପାତ ପରବର୍ତ୍ତୀ ଗର୍ଭ ନିରୋଧକ ସେବା ସମ୍ପର୍କରେ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ।ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC)ର ମେଡିକାଲ ଅଫିସର ଡା. ସୁଷମା ମଞ୍ଜରୀ ମେହେର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଓ ସୁରକ୍ଷିତ ଗର୍ଭପାତ ସେବା ପାଇବାର ବିଭିନ୍ନ ଉପାୟ ବିଷୟରେ କହିଥିଲେ। ସାମାଜିକ କର୍ମୀ ପ୍ରିୟଦର୍ଶିନୀ ପଣ୍ଡା ଓ ହେମନ୍ତ ପଣ୍ଡା ମଧ୍ୟ ସଠିକ୍ ସୂଚନା, ଗୋପନୀୟତା ଓ ସମ୍ମାନ ସହ ସ୍ୱାସ୍ଥ୍ୟସେବା ପାଇବାର ଗୁରୁତ୍ୱ ଉପରେ ମତ ରଖିଥିଲେ।ସାକାରର ସଂପାଦିକା ସ୍ୱରୂପା ରାଣୀ ଗର୍ଭଧାରଣର ଚିକିତ୍ସାଜନିତ ସମାପ୍ତି (MTP) ଅଧିନିୟମ (୧୯୭୧) ତଥା ସଂଶୋଧିତ ଆଇନ-୨୦୨୧ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ସୁରକ୍ଷିତ ଗର୍ଭପାତ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶନ ସହ ପ୍ରଶ୍ନୋତ୍ତର ଓ ଅନୁଭୂତି ବିନିମୟ ହୋଇଥିଲା। ଶେଷରେ ସାକାରର (SAKAR)ର ଯୁବ କର୍ମୀ ସୁଶୀଲ କୁମାର ସାହୁ ଓ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।