ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ: ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ।
ଭୁବନେଶ୍ୱର, ୦୯/୦୪/୨୦୨୬( ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟର ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଚାଷୀଙ୍କୁ ନିରନ୍ତର ଜଳ ଯୋଗାଇଦେବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲକ୍ଷ୍ୟରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଇଂ ସାଗର ମହାନ୍ତି ବିଭିନ୍ନ ଜିଲ୍ଲା ଗସ୍ତ କରି ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଥିଲେ।ମୁଖ୍ୟ ଶାସନ ସଚିବ ବଡ଼ମ୍ବା ବ୍ଲକସ୍ଥିତ ପଦ୍ମନାଭପୁର ଚେକ୍ ଡ୍ୟାମ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଚେକ୍ ଡ୍ୟାମର ନବୀକରଣରେ ବ୍ୟୟ ଏବଂ ଏହାର ଜଳସେଚନ କ୍ଷମତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ୯୦ ପ୍ରତିଶତ ବ୍ୟୟ ଅଟକଳ ଶେଷ କରିବାକୁ ମାସିକ ଲକ୍ଷ୍ୟଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରି ସେ ପାଣି ପଞ୍ଚାୟତ ଗଠନ ଏବଂ ୱାଟର ୟୁଜର୍ସ ଆସୋସିଏସନ ପଞ୍ଜିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଚେକ୍ ଡ୍ୟାମର ସୁରକ୍ଷା ପାଇଁ ଅଫ୍ଲକ୍ସ ବନ୍ଧର ଟର୍ଫିଂ ଏବଂ ଅପ୍-ଷ୍ଟ୍ରିମ୍ ସ୍ଲୋପର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି ନରସିଂହପୁର ବ୍ଲକସ୍ଥିତ ହାଡ଼ୁଆ ଜଳସେଚନ ପ୍ରକଳ୍ପର ସମୀକ୍ଷା ସମୟରେ କଂକ୍ରିଟ ଗ୍ରାଭିଟି ଡ୍ୟାମ୍ ଓ ସ୍ପିଲୱେ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରବାକୁ କରିଛନ୍ତି। ଏହା ବ୍ୟତୀତ ପ୍ରକଳ୍ପ ଅଞ୍ଚଳରେ ଏକ ସ୍କାଡା କଣ୍ଟ୍ରୋଲ ରୁମ, ପର୍ଯ୍ୟଟକଙ୍କ ପାଇଁ ସୌନ୍ଦର୍ଯ୍ୟକରଣ ଏବଂ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି।ଏହି ପରିଦର୍ଶନ ଏବଂ ସମୀକ୍ଷା ସମୟରେ ମାନ୍ୟବର ବଡ଼ମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ସାଗର ମହାନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ବିଭିନ୍ନ ପ୍ରକଳ୍ପର ଯାଞ୍ଚ କରିଥିଲେ। ମୁଖ୍ୟ ଯନ୍ତ୍ରୀ ପାଟଣାଗଡ଼ ବ୍ଲକର ସୁବର୍ଣ୍ଣରେଖା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ନଦୀ ବନ୍ଧର ଖାଲି ସ୍ଥାନକୁ ତୁରନ୍ତ ବନ୍ଦ କରି କାର୍ଯ୍ୟ ଶେଷ କରିବାକୁ ସେ କ୍ଷେତ୍ରୀୟ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାସହ ମାୟାବତୀ ନଦୀ ଉପରେ ନିର୍ମିତ ବେରହାମପୁରା ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ସେତୁର ମଧ୍ୟ ସେ ଯାଞ୍ଚ କରିଥିଲେ। ନଦୀ ଜଳକୁ ସଞ୍ଚୟ କରି ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ପାଇଁ ସେତୁର ଭେଣ୍ଟ୍ ଗୁଡ଼ିକରେ ଶଟର୍ ଲଗାଇବା ପାଇଁ ସେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ସମୟରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ପାଟଣାଗଡ଼ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ କ୍ଷେତ୍ର କର୍ମଚାରୀମାନେ ଉପସ୍ଥିତ ଥିଲେ।