ଭୁବନେଶ୍ୱର, 29.08.25 ( ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟ ସରକାର ୨୦୧୩ ମସିହାରୁ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସାଧାରଣ ପ୍ରଶାସନ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ସରକାର ଜାଣିଶୁଣି ଏକ ପେଞ୍ଚ ରଖିଥିଲେ। ବିଜ୍ଞପ୍ତି ଅନୁଯାୟୀ ସରକାର ଦୁଇଟି ବର୍ଗ ( କ୍ୟାଟାଗୋରି -୧ ଓ କାଟାଗୋରି – ୨ ) ଭଳି ବ୍ୟବସ୍ଥା ରଖି ଚାକିରୀ ସ୍ଥାୟୀତ୍ୱ ନେଇ ନିଷ୍ପତ୍ତି ନେଲେ। ପ୍ରଥମ ବର୍ଗ ଓ ପି ଏସ ସି ତଥା ଷ୍ଟାପ ସିଲେକ୍ସନ ସବ ଅର୍ଡିନେଟ ନିଯୁକ୍ତି ଉପରେ ସ୍ଥାୟୀ କରିଥିବା ବେଳେ ଦ୍ୱିତୀୟ ବର୍ଗ ବିଷୟରେ ଦିନ ଗଡ଼ାଇ ଚାଲିଛନ୍ତି। ୨୦୨୨ ମସିହାରେ ରାଜ୍ୟ ସରକାର ପ୍ରଥମ ବର୍ଗକୁ ସ୍ଥାୟୀ କରି ଠିକା ନିଯୁକ୍ତି ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିଲେ। ହେଲେ ସରକାର ରାଜ୍ୟର ପାଖାପାଖି ୨୫ ହଜାରରୁ ଉର୍ଦ୍ଧ ଠିକା କର୍ମଚାରୀ ଡେଲି ୱେଜେସଙ୍କ କଥା ଭୁଲି ଗଲେ। ବିଶେଷ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ପାଖାପାଖି ୮ ହଜାର କର୍ମଚାରୀ ଦିନକୁ ୧୨ରୁ ୧୫ ଘଣ୍ଟା କାମ କରୁଛନ୍ତି। ଏହାଠାରୁ ବଡ଼ ଯନ୍ତ୍ରଣା ହେଉଛି ଏହି କର୍ମଚାରୀ ମାନେ ୭ ମାସରୁ ଅଧିକ କାଳ ନିୟମିତ ଦରମା ପାଉ ନାହାନ୍ତି। ଏଭଳି ସ୍ଥିତିରେ ଏହି କର୍ମଚାରୀଙ୍କ ପରିବାର କିପରି ଚାଲିବ ବୋଲି ଉତ୍କଳ ସାମ୍ବାଦିକ ଭବନ ସମ୍ମିଳନୀ ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାର କୁ ପ୍ରଶ୍ନ କରିଛନ୍ତି ଓଡିଶା ନନ ରେଗୁଲାର ଫରେଷ୍ଟ ଏମ୍ପପ୍ଲୟୀଜ ଆସୋସିଏସନ ର ସଭାପତି ପ୍ରଭାତ ମହାନ୍ତି। ସେ ବିଷୋଦ୍ଗାର ପ୍ରକାଶ କରି କହିଛନ୍ତି ସରକାରଙ୍କୁ କର୍ମଚାରୀଙ୍କ ଦାବୀ ନେଇ ଆପତ୍ତି କରାଯାଉ ଥିଲେ ମଧ୍ୟ ସରକାର ନିରୁତ୍ତର ଏଣୁ ସରକାରଙ୍କ ଏଭଳି ଉଦାସୀନତାକୁ ଆଉ ବରଦାସ୍ତ କରାଯିବ ନାହିଁ। ଦାବୀ ପୂରଣ ପର୍ଯ୍ୟନ୍ତ ଅହୋରାତ୍ର ଆନ୍ଦୋଳନ ସେପ୍ଟେମ୍ବର ୧ରୁ ସଂଘ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ସମ୍ମୁଖରେ କରାଯିବ।ଏହି ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଖିଲେଶ କୋଷରିଆ, ପ୍ରଶାନ୍ତ ମହାନ୍ତ, ସରୋଜ ଲେଙ୍କା ଓ ପ୍ରମୁଖ କର୍ମକର୍ତ୍ତା ସରକାରୀ ଉଦାସୀନତା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ରାଜ୍ୟରେ ନୂଆ ସରକାର ଲୋକଙ୍କ ସରକାର ବୋଲି କହୁଥିବାରୁ ତାଙ୍କ ପ୍ରତି ତୁରନ୍ତ ନ୍ୟାୟ ପ୍ରଦାନ କରିବ ବୋଲି ଆଶା କରୁଛନ୍ତି। ୨୦୨୨ ମସିହା ରେ ସରକାର ଠିକା ନିଯୁକ୍ତି ପ୍ରସଙ୍ଗରେ ସ୍ପଷ୍ଟତା ଆଣିବାକୁ ଦାବୀ କରିଛନ୍ତି। ସେମାନେ ଖୁଵ ଶୀଘ୍ର ବିଭାଗ ସଚିବଙ୍କୁ ପୁର୍ନବାର ଆନ୍ଦୋଳନ ସମ୍ପର୍କରେ ଅବଗତ କରାଇବେ ବୋଲି କହିଛନ୍ତି।