ଅଖିଳ ଭାରତ ପୋଷ୍ଟ୍ ମ୍ୟାନ ଓ ଏମ ଟି ଏସ ସଂଘର ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ।

0 191

ଭୁବନେଶ୍ଵର ୧୭ ଜୁଲାଇ ୨୦୨୪ ( ପ୍ରତ୍ୟୁଷାନ୍ୟୁଜ ) :ଅଖିଳ ଭାରତ ପୋଷ୍ଟ ମ୍ୟାନ ଓ ଏମଟିଏସ ସଂଘ ଭୁବନେଶ୍ୱର ଶାଖା, ଓଡ଼ିଶା ପ୍ରେସ୍ ଇସ୍ତାହାର , ୧୭ ଜୁଲାଇ ୨୦୨୪ ଅଖିଳ ଭାରତ ପୋଷ୍ଟ ମ୍ୟାନ ଓ ଏମଟିଏସ ସଂଘ ଭୁବନେଶ୍ବର ଶାଖାର ନବମ ଦ୍ୱିବାର୍ଷିକ ସମ୍ମିଳନୀ ୧୭ ଜୁଲାଇ ୨୦୨୪ରେ ଭୁବନେଶ୍ୱର ବ୍ଲାଇଣ୍ଡ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ସଂଘର ସଭାପତି ସାଥି ଗୋବର୍ଦ୍ଧନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ଅଖିଳ ଭାରତ ଡାକ ଓ ରେଳସେବା ପେନସନର୍ସ ଆସୋସିଏସନ୍, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଆଲୋଚନା କରିବା ସହ କର୍ମଚାରୀମାନେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ ଏବଂ ଡାକ ବିଭାଗର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଡାକ ବିଭାଗ ଦ୍ବାରା ଏକତରଫା ଭାବେ ଡାକ କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ ଓ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ମାନ୍ୟତା ପ୍ରତ୍ୟାହାରକୁ ତୀବ୍ର ନିନ୍ଦା କରିବା ସହ, ମାନ୍ୟତା ପ୍ରତ୍ୟାର୍ପଣ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ପାର୍ଲିଆମେଣ୍ଟାରି ଷ୍ଟାଣ୍ଡିଂ କମିଟି ଦ୍ବାରା ଅନୁମୋଦିତ ହୋଇଥିବା ୬୫, ୭୦ ଏବଂ ୭୫ ବର୍ଷରେ ପାଞ୍ଚ ପ୍ରତିଶତ ପେନସନ ବୃଦ୍ଧିକୁ ତୁରନ୍ତ ଲାଗୁ କରିବାକୁ ଦୃଢ ଦାବି ଜଣାଇଥିଲେ। ପ୍ରାରମ୍ଭରେ ସମ୍ପାଦକ ସାଥୀ ସଞ୍ଜୟ କୁମାର ଜେନା ଦିବଂଗତ କର୍ମଚାରୀଙ୍କ ପାଇଁ ଶୋକ ପ୍ରସ୍ତାବ ଦେବା ସହ ସଂଘର ଦ୍ଵିବାର୍ଷିକ ବିବରଣୀ ପାଠ କରିଥିଲେ। ସାଥି ବୃହସ୍ପତି ସାମଲ, ସାଧାରଣ ସମ୍ପାଦକ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରି ସଂଘ, ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଜାତୀୟ ସ୍ତରରେ ଶ୍ରମିକ କର୍ମଚାରୀମାନଙ୍କ ସାମ୍ପ୍ରତିକ ସମସ୍ୟା ଉପରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ୪୪ଟି ଶ୍ରମ ଆଇନ ପରିବର୍ତ୍ତେ ୪ ଟି ଶ୍ରମ କୋଡ଼ ପ୍ରଚଳନ କରିବାକୁ ଦୃଢ ନିନ୍ଦା କରିବା ସହ ନୂତନ ପେନସନ ଯୋଜନା ଉଚ୍ଛେଦ, ପୁରୁଣା ପେନସନ ଯୋଜନାରେ ପୁନଃ ପ୍ରଚଳନ, ସରକାରୀ ଦପ୍ତରରେ ଖାଲି ପଡିଥିବା ସମସ୍ତ ପଦବୀ ପୁରଣ, ସରକାରୀ ସଂସ୍ଥାକୁ ଘରୋଇକରଣରୁ ଦୁରେଇ ରଖିବା, କର୍ମଚାରୀମାନଙ୍କର ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରତ୍ୟାର୍ପଣ, ଅନୁକମ୍ପାମୂଳକ ଚାକିରୀ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟେଇବା ପାଇଁ ଦାବି ଉପସ୍ଥାପିତ କରିବା ସହ ଆଗାମୀ ୨୩ ତାରିଖରେ ଉପସ୍ଥାପିତ ହେବାକୁ ଯାଉଥିବା କେନ୍ଦ୍ରୀୟ ବଜେଟରେ ଅଷ୍ଟମ ବେତନ ଆୟୋଗ ଗଠନ କରିବା ପାଇଁ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଭୁବନେଶ୍ୱର ଡାକ ମଣ୍ଡଳର ବରିଷ୍ଠ ଅଧିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ପାଢୀ ମୂଖ୍ୟ ଅତିଥି ହିସାବରେ ଯୋଗଦେଇ ଭାରତୀୟ ଡାକ ଯୋଗାଇ ଦେଉଥିବା ସମସ୍ତ ସେବା ଯେମିତି ଜନସାଧାରଣଙ୍କ ପାଖରେ ସହଜରେ ଉପଲବ୍ଧ ହୁଏ ସେଥିପ୍ରତି ସତର୍କତା ଅବଲମ୍ବନ କରି ନିଜ ନିଜର ଦାୟିତ୍ବ ନିର୍ବାହ କରିଥିବାକୁ ସମବେତ ଡାକ କର୍ମଚାରୀଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ଭିତରେ ତୃତୀୟ ଶ୍ରେଣୀ ସଂଘ, ଭୁବନେଶ୍ୱର ମଣ୍ଡଳର ସଭାପତି ସାଥୀ ତପନ କୁମାର ସାହୁ, ସମ୍ପାଦକ ସାଥୀ ସୁରଥ କୁମାର ଖୁଣ୍ଟିଆ, ପୂର୍ବତନ ସମ୍ପାଦକ ସାଥୀ ଦିପ୍ତୀରଞ୍ଜନ ମହାନ୍ତି ଓ ସଭାପତି ସାଥୀ ଲିଙ୍ଗରାଜ ସାହୁ, ଚତୁର୍ଥ ଶ୍ରେଣୀ ସଂଘର ସର୍ବଭାରତୀୟ ଉପସଭାପତି ସାଥୀ ଏମ ଚନ୍ଦ୍ରଶେଖର ରାଓ, ପୂର୍ବତନ ଓଡ଼ିଶା ଚତୁର୍ଥ ଶ୍ରେଣୀ ସଂଘ ସହ ସମ୍ପାଦକ ସାଥି ସୁଧିର କୁମାର ସ୍ୱାଇଁ, ତୃତୀୟ ଶ୍ରେଣୀ ସର୍ବଭାରତୀୟ ଉଇମେନ ସବ କମିଟି ସଭ୍ୟା ସାଥୀ ଇନ୍ଦ୍ରାବତୀ ଦାସ ଓ ଭୁବନେଶ୍ୱର ମଣ୍ଡଳ ଗ୍ରାମୀଣ ଡାକ ସେବକ ସଂଘର ସମ୍ପାଦକ ସାଥୀ ଘନଶ୍ୟାମ ପଣ୍ଡା ଯୋଗଦେଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ୱର ମଣ୍ଡଳରୁ ଯେତେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅବସର ନେଇଥିଲେ ସେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀର ସୁପରିଚାଳନାରେ ସାଥି ଅଜୟ କୁମାର ବାରିକ ଓ ଅନ୍ୟ ସାଥୀମାନେ ସହଯୋଗ କରିଥିବା ବେଳେ ସଂଘର ସହ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀ ଶେଷରେ ଆସନ୍ତା ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସଞ୍ଜୟ କୁମାର ଜେନା ସମ୍ପାଦକ ଅଖିଳ ଭାରତ ପୋଷ୍ଟମ୍ୟାନ ଓ ଏମଟିଏସ ସଂଘ ଭୁବନେଶ୍ୱର ମଣ୍ଡଳ।

Leave A Reply

Your email address will not be published.