ଅଖିଳ ଭାରତ ୩ୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳ ର ଦ୍ବାଦଶ ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।

0 177

ଭୁବନେଶ୍ଵର , ୩୦/୬( ପ୍ରତ୍ୟୁଷା ବ୍ୟୁରୋ) :ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭୁବନେଶ୍ବର ଶାଖାର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ୩୦ ଜୁନ ୨୦୨୪ରେ ଭୁବନେଶ୍ୱର ବ୍ଲାଇଣ୍ଡ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ସଂଘର ସଭାପତି ସାଥି ଲିଙ୍ଗରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ଅଖିଳ ଭାରତ ଡାକ ଓ ରେଳସେବା ପେନସନର୍ସ ଆସୋସିଏସନ୍, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଆଲୋ ଚନା କରିବା ସହ କର୍ମଚାରୀମାନେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ବାନ ଦେଇଥିଲେ। ସାଥି ରାଜେଶ ବୋହିଦାର, ତୃତୀୟ ଶ୍ରେଣୀ ସଂଘର ରାଜ୍ୟ ସମ୍ପାଦକ ମୂଖ୍ୟ ବକ୍ତା ହିସାବରେ ଯୋଗଦେଇ ଡାକ ବିଭାଗର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଡାକ ବିଭାଗ ଦ୍ବାରା ଏକତରଫା ଭାବେ ଡାକ କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ ଓ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ମାନ୍ୟତା ପ୍ରତ୍ୟାହାରକୁ ତୀବ୍ର ନିନ୍ଦା କରିବା ସହ, ମାନ୍ୟତା ପ୍ରତ୍ୟାର୍ପଣ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ସାଥି ବୃହସ୍ପତି ସାମଲ, ସାଧାରଣ ସମ୍ପାଦକ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରି ସଂଘ, ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସ୍ତରରେ ଶ୍ରମିକ କର୍ମଚାରୀମାନଙ୍କ ସାମ୍ପ୍ରତିକ ସମସ୍ୟା ଉପରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ୪୪ଟି ଶ୍ରମ ଆଇନ ପରିବର୍ତ୍ତେ ୪ ଟି ଶ୍ରମ କୋଡ଼ ପ୍ରଚଳନ କରିବାକୁ ଦୃଢ ନିନ୍ଦା କରିବା ସହ ନୂତନ ପେନସନ ଯୋଜନା ଉଚ୍ଛେଦ, ପୁରୁଣା ପେନସନ ଯୋଜନାରେ ପୁନଃ ପ୍ରଚଳନ, ସରକାରୀ ଦପ୍ତରରେ ଖାଲି ପଡିଥିବା ସମସ୍ତ ପଦବୀ ପୁରଣ, ସରକାରୀ ସଂସ୍ଥାକୁ ଘରୋଇକରଣରୁ ଦୁରେଇ ରଖିବା, କର୍ମଚାରୀମାନଙ୍କର ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରତ୍ୟାର୍ପଣ, ଅନୁକମ୍ପାମୂଳକ ଚାକିରୀ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟେଇବା ପାଇଁ ଦାବି ଉପସ୍ଥାପିତ କରିଥିଲେ। ଅନ୍ୟମାନଙ୍କ ଭିତରେ ପୂର୍ବତନ ତୃତୀୟ ଶ୍ରେଣୀ ରାଜ୍ୟ ସମ୍ପାଦକ ସାଥି ରମେଶ ଚନ୍ଦ୍ର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ସାଥି ପୂର୍ଣ୍ଣେନ୍ଦୁ କୁମାର ଦାଶ, ପୂର୍ବତନ ସର୍ବଭାରତୀୟ ସଭାପତି ଏସବିସିଓ କର୍ମଚାରୀ ସଂଘ ସାଥି ଶ୍ରୀକାନ୍ତ ମଲ୍ଲିକ, ସର୍ବଭାରତୀୟ ଉପସଭାପତି ଚତୁର୍ଥ ଶ୍ରେଣୀ ସଂଘ ସାଥି ଏମ ସିଂ ଏସ ରାଓ, ପୂର୍ବତନ ଓଡ଼ିଶା ଚତୁର୍ଥ ଶ୍ରେଣୀ ସଂଘ ସହ ସମ୍ପାଦକ ସାଥି ସୁଧିର କୁମାର ସ୍ୱାଇଁ ଯୋଗଦେଇଥିଲେ। ଆଜି ସଂଘର ସଭାପତି ସାଥି ଲିଙ୍ଗରାଜ ସାହୁ ଏବଂ ସମ୍ପାଦକ ସାଥି ଦିପ୍ତୀରଞ୍ଜନ ମହାନ୍ତି ଡାକ ବିଭାଗରୁ ଅବସର ନେଉଥିବାରୁ ସଂଗଠନ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଗତ ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ୱର ମଣ୍ଡଳରୁ ଯେତେ କର୍ମଚାରୀ ଅବସର ନେଇଥିଲେ ସେ ସମସ୍ତଙ୍କୁ ମଧ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀକୁ ସାଥି ସୋନାଲି ପ୍ରିୟଦର୍ଶିନୀ ପରିଚାଳନା କରିଥିଲାବେଳେ ବେଳେ ସଂଘର ସହ ସମ୍ପାଦକ ସାଥି ସୁରଥ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀ ଶେଷରେ ଆସନ୍ତା ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସର୍ବସମ୍ମତିକ୍ରମେ ସାଥି ତପନ କୁମାର ସାହୁ, ସାଥି ସୁରଥ କୁମାର ଖୁଣ୍ଟିଆ ଏବଂ ସାଥି ବିଜୟ କୁମାର ମୁଦୁଲି ଯଥାକ୍ରମେ ମଣ୍ଡଳ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଶେଷରେ ସଂଘର କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave A Reply

Your email address will not be published.