ଚଣ୍ଡିଖୋଲ ଠାରେ ୧୯,୬୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ରଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ।

0 96

ଭୁବନେଶ୍ଵର / ଚଣ୍ଡିଖୋଲ , 5.03. 24 ( ପ୍ରତ୍ୟୁଷା ବ୍ୟୁରୋ ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏସବୁ ପ୍ରକଳ୍ପ ତୈଳ ଓ ଗ୍ୟାସ୍‌, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହ ଜଡ଼ିତ । ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଆଜି ଯାଜପୁର ଏବଂ ଓଡ଼ିଶାରେ ବିକାଶର ଏକ ନୂଆ ଧାରା ପ୍ରବାହିତ ହେଉଛି। ଶ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶ ତଥା ଓଡ଼ିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ । ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ପରମାଣୁ ଶକ୍ତି, ସଡ଼କ ପଥ, ରେଳବାଇ ଏବଂ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପ୍ରମୁଖ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆଜିର ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ସେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିକଶିତ ଭାରତର ସଂକଳ୍ପ ପୂରଣ କରିବା ଲାଗି କାର୍ଯ୍ୟ କରିବା ସମୟରେ ଦେଶର ସାମ୍ପ୍ରତିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଶକ୍ତି କ୍ଷେତ୍ରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରୟାସ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଊର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ବାଷ୍ପ ଯୋଗାଣ ପାଇଁ ୫ଟି ବଡ଼ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବଡ଼ ବଡ଼ ପ୍ରକଳ୍ପ ଚାଲିଛି । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ଉତ୍ପାଦ ପାଇପଲାଇନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଛନ୍ତି ।

Leave A Reply

Your email address will not be published.