୨୬ ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ ।

0 79

ଭୁବନେଶ୍ବର, 14/12/23 (ପ୍ରତ୍ୟୁଷା ବ୍ୟୁରୋ):ଆସନ୍ତା ଡିସେମ୍ବର ୨୬ ତାରିଖରେ ଓଡ଼ିଶାବାସୀ ଓ ଓଡ଼ିଆଙ୍କ ପ୍ରିୟ ଦଳ ବିଜୁ ଜନତା ଦଳ ତା’ର ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପଦାର୍ପଣ କରୁଛି । ଗତ ୨୬ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନଗଣଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି । ଏହି ୨୬ ବର୍ଷ ଧରି ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ଏହି ଦଳ ରାଜନୈତିକ କାର୍ଯ୍ୟକ୍ରମ ସହିତ ତା’ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳ ମାନଙ୍କ ଭିତରେ ଆମ ପ୍ରିୟ ଦଳକୁ ଏକ ପ୍ରଶଂସନୀୟ ପରିଚିତି ଆଣିଦେଇଛି । ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାର ସବୁ କ୍ଷେତ୍ରର ଏବଂ ସବୁ ବର୍ଗର ଲୋକମାନଙ୍କ ବିକାଶ ପାଇଁ ବିଜେଡ଼ିର ଆଭିମୁଖ୍ୟ ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଶୁଭେଚ୍ଛା ପାଇ ଆସିଛି । ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ଯାଏଁ ଲୋକ ମାନଙ୍କର ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥି ମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜୁ ଜନତା ଦଳକୁ ଲୋକଙ୍କ ନିକଟତର କରିଛି । ଲଗାତାର ବିଭିନ୍ନ ସାଧାରଣ ନିର୍ବାଚନ, ଉପ-ନିର୍ବାଚନ, ସମବାୟ ନିର୍ବାଚନ ସମେତ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାର ୩୦ଟି ଜିଲ୍ଲାରେ ବିଜେଡ଼ିର ଶତପ୍ରତିଶତ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ, ୮୦ ପ୍ରତିଶତ ପୌରାଞ୍ଚଳ ଆସନ ପାଇବା ସାଧାରଣ ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଆସ୍ଥାକୁ ପ୍ରମାଣିତ କରୁଛି । ଲୋକମାନଙ୍କ ଲଗାତାର ଆଶିଷ, ସମର୍ଥନ ଓ ଶୁଭେଚ୍ଛା ଆମର ବିକାଶ ଆଭିମୁଖ୍ୟକୁ ଆଗେଇ ନେବା ପାଇଁ ପ୍ରେରଣା ଦେଇଛି । ଆମକୁ ଆଗାମୀ ଦିନ ମାନଙ୍କରେ ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି । ୨୬ ବର୍ଷର ବିଜୁ ଜନତା ଦଳର ସଫଳ ଯାତ୍ରା ଓଡ଼ିଶାବାସୀଙ୍କ ଭଲ ପାଇବା ଆମକୁ ଆମ ବିକାଶର ସଫଳତାକୁ ଶୀର୍ଷ ସ୍ତରକୁ ନେବା ପାଇଁ ପ୍ରେରିତ କରୁଛି । ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡ଼ିର ୨୬ ପୂର୍ଭି ସଙ୍ଗେ ସଙ୍ଗେ ୨୭ତମ ପ୍ରତିଷ୍ଠା ସମାରୋହ ନିର୍ବାଚନ ମଣ୍ଡଳୀ/ବ୍ଲକ/ ପୌରାଞ୍ଚଳରେ ପାଳନ କରାଯିବ ।

Leave A Reply

Your email address will not be published.