ମା ରମାଦେବୀଙ୍କ ଶ୍ରାଦ୍ଧ ଦିବସ ପାଳିତ।

0 105

ଭୁବନେଶ୍ୱର- ତା ୨୨.୦୭.୨୦୨୩. (ପ୍ରତ୍ୟୁଷା ବ୍ୟୁରୋ):ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତ୍ରୀ, ଓଡ଼ିଶାରେ ନାରୀ ସଶକ୍ତିକରଣର ଅଗ୍ରଣୀ ନେତ୍ରୀ, ସେବା,ତ୍ୟାଗ ଓ କରୁଣାର ପ୍ରତୀକ ମା ରମାଦେବୀଙ୍କ ୩୮ତମ ଶ୍ରାଦ୍ଧୋତ୍ସଵ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ପ୍ରଥମେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏକ ଶୋଭାଯାତ୍ରାରେ ଆସି ପ୍ରତିମୂର୍ତ୍ତିସ୍ଥଳୀରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିବା ପରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ପାଠ କରିଥିଲେ । ବିଧାୟକ ପ୍ରଫୁଲ୍ଲ ସାମଲ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ଼ଃ ଅପରାଜିତା ଚୌଧୁରୀ, କୂଳସଚିବ ଶ୍ୟାମଳୀ ମହାପାତ୍ର, ପ୍ରଫେସର ଡ଼ଃ ଚଣ୍ଡୀଚରଣ ରଥ, ଡ଼ଃ ସସ୍ମିତା ମହାନ୍ତି, ଅଧ୍ୟାପକ, ଅଧ୍ୟାପିକାବୃନ୍ଦ, ଗାନ୍ଧିବାଦୀ ପ୍ରହଲ୍ଲାଦ ସିଂହ, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଉଇ ଫର ଭୁବନେଶ୍ୱର କାର୍ଯ୍ୟ ସଂଯୋଜକ ନରେନ ସାହୁ, ରାଜକିଶୋର ସାହୁ, ସଂଯୁକ୍ତା ମିଶ୍ର,ସରୋଜିନୀ ମିଶ୍ର, ଦୀପ୍ତିପ୍ରଭା ରାୟ, ଅନୁପମା ବେହେରା, ପ୍ରଗତି ରଥ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ନିଜ ବକ୍ତବ୍ୟରେ ମା ରମାଦେବୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ ,ମାଜିଷ୍ଟ୍ରେଟ ଗୋପାଳ ବଲ୍ଲଭ ଦାସଙ୍କ କନ୍ୟା ରମାଦେବୀ ଜଗତସିଂହପୁର ଖେରସ ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ଜ୍ୟେଷ୍ଠପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ । ଗୋପବନ୍ଧୁ ବାବୁ ଡେପୁଟି କଲେକ୍ଟର ଚାକିରୀ କରୁଥିଲେ, ସେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାକିରିରୁ ଇସ୍ତଫା ଦେଇ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେବା ସହ ମୌଳିକ ଶିକ୍ଷାର ପ୍ରଚାର ପାଇଁ ଅଳକା ଆଶ୍ରମରେ ରହି ଉନ୍ନତ କୃଷି ପାଇଁ କାର୍ଯ୍ୟ କଲେ ।ରମାଦେବୀ ମଧ୍ୟ ସ୍ୱାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ କାରାବରଣ କରିଥିଲେ ।ତାଙ୍କ ଦିଅର ନବକୃଷ୍ଣ ଚୌଧୁରୀ, ଯାଆ ମାଳତୀ ଚୌଧୁରୀ,କନ୍ୟା ଅନ୍ନପୂର୍ଣ୍ଣା ମହାରଣା ମଧ୍ୟ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଦେଶ ସ୍ବାଧୀନତା ପରେ ମା ରମାଦେବୀ କ୍ଷମତା ରାଜନୀତିରୁ ନିଜକୁ ଦୂରେଇ ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ସହିତ ଅସ୍ପୃଶ୍ୟତା ନିରାକରଣ, ନିଶା ନିବାରଣ,ସାମ୍ପ୍ରଦାୟିକ ସଦଭାବ ରକ୍ଷା, ନାରୀ ଶିକ୍ଷାର ପ୍ରଚାର ପ୍ରସାର ସହିତ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ।ତାଙ୍କ ସମର୍ପିତ ସେବା ପାଇଁ ସେ ସମସ୍ତଙ୍କ ଅତି ଆପଣାର ମା ରମାଦେବୀ ଭାବରେ ସମ୍ମାନର ମାଆ ହୋଇ ପାରିଛନ୍ତି ବୋଲି ଅତିଥି ମାନେ ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରିଶେଷରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.