ଭାରତ ପର୍ବ-୨୦୨୩”ର ଉଦଯାପନୀ ସମାରୋହ”ରେ କେନ୍ଦ୍ରମନ୍ତ୍ରୀ

0 114

ଭୁବନେଶ୍ୱର, ଜାନୁଆରୀ ୩୧,(ପ୍ରତ୍ୟୁଷା ବ୍ୟୁରୋ)– ପର୍ଯ୍ୟଟନ କେବଳ ମନୋରଞ୍ଜନ, ସଂସ୍କୃତି ଏବଂ ଐତିହ୍ୟକୁ ଜାଣିବାର ବିଷୟ ନୁହେଁ ବରଂ ପର୍ଯ୍ୟଟନ ଏକ ଅର୍ଥନୈତିକ ପ୍ରସଙ୍ଗ । ପର୍ଯ୍ୟଟନ ମାଧ୍ୟମରେ ଆମ ଦେଶର ଆର୍ଥିକ ଶକ୍ତି ଆହୁରି ମଜଭୂତ୍ ହେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଐତିହାସିକ ଲାଲକିଲ୍ଲାର ପ୍ରାଙ୍ଗଣରେ ‘ଭାରତ ପର୍ବ ୨୦୨୩’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପର୍ବ ଲୋକଙ୍କ ଉତ୍ସାହ ଓ ଦେଶ ପ୍ରତି ଲୋକଙ୍କର ଥିବା ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି । ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନକୁ ଉଲ୍ଲେଖ କରିବାକୁ ଯାଇ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସଂସଦରେ ଅନେକ ବିଷୟରେ ନିଜ ଅଭିଭାଷଣରେ ପ୍ରଦାନ କରିଛନ୍ତି । ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି, କାଶୀ ବିଶ୍ୱନାଥ କୋରିଡର ହୋଇଛି, ମହାକାଳଲୋକ ନୂଆ ରୂପ ନେଇଛି । ଦେଶର ଅନେକ ପ୍ରାନ୍ତରେ ଐତିହ୍ୟ କ୍ଷେତ୍ରରେ ନୂଆ ରୂପ ଆସିଛି । କରୋନାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ସାଧାରଣ ନାଗରିକମାନେ ଏହି ପର୍ଯ୍ୟଟନ ସୁବିଧାର ଆନନ୍ଦ ନେଉଛନ୍ତି । ଭାରତର ସାଂସ୍କୃତିକ ଐତିହ୍ୟକୁ ଆଜି ଅଭିଭାଷଣରେ ଉଲ୍ଲେଖ କରି ଦେଶର ଗୌରବ ବଢାଇଥିବାରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଭାରତ ପର୍ବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଭାରତ ପର୍ବରେ ବିକ୍ରି ହେଉଥିବା ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଲୋକମାନେ ଆମର ସ୍ୱଦେଶୀ ସାମଗ୍ରୀ କିଣିଲେ ଭାରତର କଳା ବଞ୍ଚିବ ଓ ଗରିବ ଘରେ ସମ୍ପନ୍ନତା ପହଞ୍ଚିବ । ଭାରତର କୁଶଳୀ କାରିଗରୀ, ବୁଣାକାର ମଧ୍ୟ ଆମ ଅର୍ଥନୀତିର ଆଉ ଏକ ମେରୁଦଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ନୂଆ ରୂପ ଓ ଆର୍ଥିକ ଶକ୍ତି ବନାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.