ପାରମ୍ପରିକ ରୀତି ନୀତିରେ ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମ୍ପନ୍ନ । ଗୋଲ୍‍-ଧନା ଏବଂ ଚୁନରୀ ବିଧି ପରେ ପରସ୍ପର ପରସ୍ପରକୁ ମୁଦି ପିନ୍ଧାଇଲେ।

0 168

ମୁମ୍ବଇ, 19.01.23 (Pratyusha Bureau): ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନିଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ନିର୍ବନ୍ଧ କାର୍ଯ୍ୟ ମୁମ୍ବଇସ୍ଥିତ ଅମ୍ବାନି ନିବାସରେ ଅନୁଷ୍ଠିତ ହୋଇଥିଲା । ଗୁଜରାଟି ହିନ୍ଦୁ ପରିବାରରେ ପିଢି ପରେ ପିଢି ପ୍ରଚଳିତ ହୋଇଆସୁଥିବା ଶହ ଶହବର୍ଷ ପୁରାତନ ଗୋଲ୍‍-ଧନା ଏବଂ ଚୁନରୀ ବିଧି ଆଦି ପରମ୍ପରା ସମାରୋହ ସ୍ଥଳ ଏବଂ ପରିବାରିକ ମନ୍ଦିରରେ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହୋଇଥିଲା ।

ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ । ଅନନ୍ତଙ୍କ ମା’ ଶ୍ରୀମତୀ ନୀତା ଅମ୍ବାନିଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଗୋଲ୍‍-ଧନାର ଅର୍ଥ ହେଉଛି ଗୁଡ ଏବଂ ଧନିଆ ମଞ୍ଜି, ଗୁଜରାଟୀ ପରମ୍ପରାରେ ଗୋଲ୍‍-ଧନା ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ । କାର୍ଯ୍ୟକ୍ରମ ସମୟରେ ଏହି ବସ୍ତୁକୁ ବର ଘର ଲୋକଙ୍କୁ ବିତରଣ କରାଯାଏ । କନ୍ୟା ପକ୍ଷ ପରିବାର ବର ଘରକୁ ଉପହାର ଏବଂ ମିଠାଇ ଧରି ଆସନ୍ତି ଏବଂ ବର ଓ କନ୍ୟା ଉଭୟ ପରସ୍ପରକୁ ମୁଦି ପିନ୍ଧାନ୍ତି । ଏହାପରେ ବର ଓ କନ୍ୟା ସେମାନଙ୍କ ପରିବାରର ବୟସ୍କ ଲୋକଙ୍କ ନିକଟରୁ ଆଶୀର୍ବାଦ ନେଇଥାନ୍ତି । ସନ୍ଧ୍ୟାରେ ନିର୍ବନ୍ଧ ଉତ୍ସବ ପାଇଁ ସର୍ବପ୍ରଥମେ ଅନନ୍ତଙ୍କ ଭଉଣୀ ଇଶା ଏବଂ ପରିବାରର ଅନ୍ୟ ସଦସ୍ୟଗଣ ରାଧିକାଙ୍କୁ ତାଙ୍କ ବାସଭବନକୁ ଯାଇ ଆମନ୍ତ୍ରିତ କରିଥିଲେ । ତତ୍‍ପରେ ଅମ୍ବାନି ପରିବାର ନିଜ ବାସଭବନରେ ଆରତୀ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ କନ୍ୟା ପକ୍ଷଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ବର ଓ କନ୍ୟା ଯୋଡିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ନେବାକୁ ସମୁଦାୟ ପରିବାର ଅନନ୍ତ ଓ ରାଧିକାଙ୍କ ସହିତ ମନ୍ଦିର ଯାଇଥିଲେ । ସେଠାରୁ ସମସ୍ତେ ଗଣେଶଙ୍କ ପୂଜା ନିମନ୍ତେ ସମାରୋହ ସ୍ଥଳକୁ ଯାଇଥିଲେ । ସେଠାରେ ଲଗ୍ନ ପଞ୍ଜିକା ପାଠ କରାଯାଇଥିଲା । ଗୋଲ୍‍-ଧନା ଓ ଚୁନରୀ ବିଧି ସମ୍ପନ୍ନ ହେବାପରେ ଅନନ୍ତ ଏବଂ ରାଧିକାଙ୍କ ପରିବାର ମଧ୍ୟରେ ଉପହାର ଆଦାନ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ନୀତା ଅମ୍ବାନିଙ୍କ ନେତୃତ୍ୱରେ ଅମ୍ବାନି ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏକ ଭବ୍ୟ ଏବଂ ଚମତ୍କାର ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହାକୁ ଉପସ୍ଥିତି ବ୍ୟକ୍ତିବିଶେଷ ଭୂୟସୀ ପ୍ରଶଂସା କରିଥିଲେ । ଭଉଣୀ ଇଶା ନିର୍ବନ୍ଧ ପର୍ବ ଆରମ୍ଭ ସମ୍ପର୍କରେ ଘୋଷଣା କରିବା ମାତ୍ରେ ଅନନ୍ତ ଏବଂ ରାଧିକା ନିଜ ପରିବାର ଓ ସାଙ୍ଗସାଥୀଙ୍କ ସମ୍ମୁଖରେ ପରସ୍ପର ପରସ୍କରକୁ ମୁଦି ପିନ୍ଧାଇ ସେମାନଙ୍କର ଆଶୀର୍ବାଦ କାମନା କରିଥିଲେ । ଅନନ୍ତ ଏବଂ ରାଧିକା କିଛିବର୍ଷ ହେଲା ପରସ୍ପରକୁ ଜାଣିଛନ୍ତି ଏବଂ ଅନୁଷ୍ଠିତ ନିର୍ବନ୍ଧ ଉତ୍ସବ ରୀତି ନୀତିରେ ଉଭୟ ପରସ୍ପରର ଅଧିକ ନିକଟତର ହେବା ସୁଯୋଗ ପାଇଛନ୍ତି ।

ଉଭୟଙ୍କ ପରିବାର ରାଧିକା ଏବଂ ଅନନ୍ତଙ୍କ ପାଇଁ ସମସ୍ତଙ୍କ ନିକଟରୁ ଆଶୀର୍ବାଦ ଓ ଶୁଭକାମନା ଲୋଡିଛନ୍ତି । ନୀତା ଓ ମୁକେଶ ଅମ୍ବାନିଙ୍କ ପୁତ୍ର ଅନନ୍ତ ଆମେରିକାସ୍ଥିତ ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି ଏବଂ ସେବେଠାରୁ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବିଭିନ୍ନ କ୍ଷମତାରେ ସଂଯୁକ୍ତ ହୋଇ ରହିଛନ୍ତି । ସେ ଜିଓ ପ୍ଲାଟଫର୍ମସ୍‍ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ବୋର୍ଡରେ ରହିଛନ୍ତି । ସେ ବର୍ତ୍ତମାନ ରିଲାଏନ୍ସର ଶକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି । ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି ଏବଂ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.