ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ବାଚସ୍ପତି ଶ୍ରୀ ଆରୁଖଙ୍କ ଶୋକ ବିଧାନସଭାରେ ଗାର୍ଡ ଅଫ୍ ଅନର୍

0 125

ଭୁବନେଶ୍ବର,19/09/22(ପ୍ରତ୍ୟୁଷା ବ୍ୟୁରୋ):
ବିରୋଧୀ ଦଳ ଉପନେତା ତଥା ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ
ବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।
ଆଜି ପୂର୍ବାହ୍ନରେ ସ୍ଵର୍ଗତ ସେଠୀଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍
ଅନର ଦିଆଯାଇଥିଲା । ମାନ୍ୟବର ବାଚସ୍ପତି, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ଏବଂ ଦଳମତ ନିର୍ବିଶେଷରେ
ବିଧାୟକବୃନ୍ଦ, ବିଧାନସଭା ସଚିବ ପ୍ରମୁଖ ସ୍ୱର୍ଗତ ସେଠୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ବାଚସ୍ପତି ଶ୍ରୀ ଆରୁଖ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ କହିଛନ୍ତି ଯେ ବିରୋଧୀ ଦଳ ଉପନେତା ବିଷୁବାବୁ କେବଳ
ଜଣେ ଲୋକପ୍ରିୟ ବିଧାୟକ ନଥିଲେ, ସେ ଥିଲେ ଅମାୟିକ ଓ ବନ୍ଧୁବତ୍ସଳ । ଜନସାଧାରଣଙ୍କ ସମସ୍ୟା ଓ ଅସୁବିଧାକୁ
ବିଧାନସଭାରେ ଉପସ୍ଥାପିତ କରିବାରେ ତାଙ୍କର ସ୍ଵତନ୍ତ୍ର ଶୈଳୀ ରହିଥିଲା । ସମସ୍ତ ରାଜନୈତିକ ଦଳର
ବ୍ୟକ୍ତବିଶେଷଙ୍କ ସହିତ ତାଙ୍କର ଅତି ସୌହାର୍ଘ୍ୟପୂର୍ଣ୍ଣ ସଂପର୍କ ଥିଲା । ତାଙ୍କ ବିୟୋଗ ଓଡ଼ିଶା ରାଜନୀତି ଜଗତରେ
ଏକ ଅପୂରଣୀୟ କ୍ଷତି । ବ୍ୟକ୍ତିଗତ ଭାବେ ଜଣେ ବନ୍ଧୁଙ୍କୁ ହରାଇ ସେ ଅତ୍ୟନ୍ତ ମର୍ମାହତ ବୋଲି ବାଚସ୍ପତି ଶ୍ରୀ ଆରୁଖ
ଉଲ୍ଲେଖ କରିଥିଲେ ।
ବାଚସ୍ପତି ଶ୍ରୀ ଆରୁଖ ଅମର ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା
ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.