ନବୀନ ସରକାରରେ ବଢିଛି ଚାଷୀଙ୍କ ଦୁର୍ଦଶା

0 207

ଭୁବନେଶ୍ୱର, ତା ୩୦/୮ (ପ୍ରତ୍ୟୁଷା ବ୍ୟୁରୋ): ଚଳିତ ଖରିଫଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ଲଘୁଚାପ ଜନିତ ଅତିଶୟ ବର୍ଷା ଓ ବନ୍ୟାଦ୍ୱାରା ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିର ଧାନ ତଳି ସମ୍ପୂର୍ଣ୍ଣ ଧୋଇ ଯିବା ସହ ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଅଣଧାନ ଓ ପନିପରିବା ପ୍ରଭୃତି ବ୍ୟାପକ ଭାବେ ନଷ୍ଟ ହୋଇଛି । ଫଳରେ ଚାଷୀ ବିପନ୍ନ ଓ ଦୁସ୍ଥିତିରେ ଥିବା ବେଳେ ସରକାର ଅଦ୍ୟାବଧି ନିରବଦ୍ରଷ୍ଟା । ସରକାର ଓ ପ୍ରଶାସନ ବନ୍ୟା ହେବାର ଜାଣି ମଧ୍ୟ ଯଥେଷ୍ଟ ପୂର୍ବରୁ ସତର୍କ ନ ରହିବା ଫଳରେ ଅନେକ ସ୍ଥାନରେ ଘାଇ ସୃଷ୍ଟି ହେଲା । ଯଦ୍ୱାରା ଜନଜୀବନ ସହିତ ଚାଷ ଉଜୁଡ଼ିଗଲା । ଏସନ ଅମଳ ଆଉ ସମ୍ଭବ ନୁହେଁ । ଏବେ ଚାଷୀକୁଳ କରିବେ କ’ଣ? ଠିକଣା ସମୟରେ ରାଜ୍ୟରେ ବିହନ ଓ ସାର ସଙ୍କଟ ଦେଖାଦେଇଛି । ସରକାର ଯଦି ବର୍ତ୍ତମାନ ପ୍ରଚଳିତ କୃଷି ଇନପୁଟ୍ ସହାୟତା ଚିରାଚରିତ ଢଙ୍ଗରେ ଚାଷୀଙ୍କୁ ଯୋଗାଇ ଦିଅନ୍ତି, ତେବେ ଚାଷୀର କ୍ଷତି ଭରଣା ହେଉନାହିଁ । ପ୍ରଚଳିତ ରିଲିଫ୍ କୋର୍ଡ ସଂଶୋଧନ କରାଗଲା ନାହିଁ । ତେଣୁ ଚାଷୀ ଉପଯୁକ୍ତ ସହାୟତା ପାଇବାରୁ ବଞ୍ଚିତ।ଏବେ ଚାଷୀଙ୍କୁ ସରକାର ପ୍ରତିଶ୍ରୁତି ଦେବା ଓ ସହାୟତା ଘୋଷଣା କରିବା କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ନ ହୋଇ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା ଏକାନ୍ତ ଜରୁରୀ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କୁ ଚେତେବନୀ ଦେଇଛନ୍ତି । ଚାଷୀ ବୀମା କରି ଫସଲ ବୀମା ସହାୟତା ପାଉ ନ ଥିବା ବେଳେ ଚାଷୀର ପ୍ରିମିୟମ ଟଙ୍କାରେ କମ୍ପାନୀ ଓ ସରକାର ମାଲାମାଲ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଚାଷୀକୁ ମିଳୁନାହିଁ । କାଳିଆ ବଳିଆ ଓ ପିଏମ୍ କିଷାନ ନିଧି ଯୋଜନା ପ୍ରହସନ ପାଲଟିଛି । ପ୍ରକୃତ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ। ମୋଟ ୭୫ ଲକ୍ଷ ଚାଷୀ ପରିବାରରୁ ଅଦ୍ୟାବଧି ଆଉ ୨୫ ଲକ୍ଷ ଚାଷୀ କାଳିଆ ସହାୟତା ୪୩ ଲକ୍ଷ ଚାଷୀ ପିଏମ୍ କିଷାନ ସହାୟତାରୁ ବଞ୍ଚିତ । ସରକାରଙ୍କ ପାଖରେ ଚାଷୀ ପରିସଂଖ୍ୟାନର ହିସାବ ନାହିଁ । ସରକାରଙ୍କ ବିଭିନ୍ନ ଯୋଜନା କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ହୋଇଛି । ବିଜେଡ଼ି ସରକାରର ଦୀର୍ଘ ୨୨ ବର୍ଷ ଓ କେନ୍ଦ୍ର ବିଜେପି ସରକାରର ୮ ବର୍ଷ ଶାସନ କାଳରେ ଚାଷୀ ସବୁ କ୍ଷେତ୍ରରୁ ବଞ୍ଚିତ । ଚାଷ ଓ ଚାଷୀର ବିକାଶ କେତେ ତାହା ଚାଷୀର ମାସିକ ଆୟରୁ ବେଶ୍ ଜଣାପଡ଼ିଛି । ଜାତୀୟସ୍ତରରେ ଚାଷୀର ମାସିକ ଆୟ ୧୦ ହଜାର ଟଙ୍କାରୁ ଅଧିକ ଥିବା ବେଳେ ଆମ ରାଜ୍ୟର ଚାଷୀର ମାସିକ ଆୟ ୫୧୧୨ଟଙ୍କା । ଏହାହିଁ ନବୀନ ଓ ମୋଦି ସରକାରଙ୍କ କୃଷି ଓ କୃଷକ ବିକାଶର ବାସ୍ତବ ଚିତ୍ର ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।ଚାଷୀକୁଳର ଏଭଳି ସଙ୍ଗିନ ପରିସ୍ଥିତିରେ ସରକାର କାଳ ବିଳମ୍ବ ନ କରି ଯୁଦ୍ଧକାଳୀନ ଭିତ୍ତିରେ ଫସଲ କ୍ଷୟ କ୍ଷତିର ସଠିକ ଆକଳନ ଓ ଚାଷଜମିରୁ ଜଳ ନିଷ୍କାସନ, ବନ୍ୟାକ୍ଷତିଗ୍ରସ୍ତ ଚାଷୀଙ୍କୁ ଅତି ସଅଳ କିସମ ଧାନ ଓ ଡାଲିଜାତୀୟ ବିହନ, ଚିନାବାଦାମ ମଞ୍ଜି ଓ ଧାନ ତଳି ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇବା, ପ୍ରାକ୍ ରବିଚାଷ ପାଇଁ ଯଥେଷ୍ଟ ପୂର୍ବରୁ ବିହନ ଓ ପନିପରିବା ମଞ୍ଜି ଯୋଗାଇବା, ୯୦ ପ୍ରତିଶତ ରିହାତିରେ ବନ୍ୟାକ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସାର, କୀଟନାଶକ ଔଷଧ ଯୋଗାଣ, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ରବି ଚାଷ ପାଇଁ ବିନା ସୁଧରେ କୃଷି ଋଣ ପ୍ରଦାନ, ପ୍ରଚଳିତ ରିଲିଫ୍ କୋର୍ଡ଼ର ସଂଶୋଧନ, ଧାନ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୩୦ ହଜାର ଟଙ୍କା ଓ ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ବନ୍ୟା କ୍ଷତିଗ୍ରସ୍ତ ଅ ଳର ଚାଷୀଙ୍କୁ ମାଗଣାରେ ୧୫ ଦିନ ପର୍ଯ୍ୟନ୍ତ ଗୋ-ଖାଦ୍ୟ ଯୋଗାଣ, ଭାଗଚାଷୀମାନଙ୍କୁ ଫସଲ କ୍ଷତି ପାଇଁ ସ୍ୱତନ୍ତ୍ର ଭାବେ ଆର୍ôଥକ ସହାୟତା ପ୍ରଦାନ ଏବଂ ବଳିଆ ଯୋଜନାରେ ଋଣ ସହାୟତାର ବ୍ୟବସ୍ଥାକୁ ତ୍ୱରାନ୍ୱିତ, ମନରେଗାରେ କୃଷି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ୨୦୦ ଦିନ ପର୍ଯ୍ୟନ୍ତ ଶ୍ରମ ବ୍ୟବସ୍ଥା, କେନାଲରେ ରବି ପାଣି ଯୋଗାଣକୁ ତ୍ୱରାନ୍ୱିତ କରିବା, ପ୍ରତି ଚାଷୀକୁ ୯୦ ପ୍ରତିଶତ ସରକାରୀ ସହାୟତାରେ ଏକକ ଲିଫ୍ଟ ପଏଣ୍ଟ ବ୍ୟବସ୍ଥା, ବନ୍ୟା ପ୍ରଭାବିତ ଅଞ୍ଚଳ ର ସମସ୍ତ ଛାତ୍ର/ଛାତ୍ରୀଙ୍କଠାରୁ ସ୍କୁଲ ଫି ଛାଡ଼, କେନ୍ଦ୍ର ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆ ଯାଉଥିବା ଜଳସେଚିତ ଅଞ୍ଚଳ ପାଇଁ ୧୩,୫୦୦ଟଙ୍କା, ଅଣ ଜଳସେଚିତ ପାଇଁ ୬,୮୦୦ ଟଙ୍କା ପ୍ରଚଳିତ କୃଷି ଇନପୁଟ୍ ସହାୟତା ରାଶିର ଦୁଇଗୁଣା ବୃଦ୍ଧି, ଯେଉଁ ଅଞ୍ଚଳରେ ଚାଷୀ ଫସଲ ବୀମାଭୁକ୍ତ କରିଛନ୍ତି ଏବଂ ଚାଷର ଏକମାସ ମଧ୍ୟରେ ସେମାନଙ୍କର ଫସଲ (ତଳି) ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ସେହି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କମ୍ପାନୀ ପ୍ରଧାନମନ୍ତ୍ରୀ ଫସଲବୀମା ସର୍ତ୍ତାବଳୀ ଅନୁଯାୟୀ ଅଗ୍ରୀମ ବୀମା କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦେବାକୁ ଆଜି ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ପକ୍ଷରୁ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଭୁତି ମିଶ୍ର, ଚାଷୀନେତା ଧ୍ରୁବ ଚରଣ ପରିଡ଼ା, ଭଗବାନ ଜେନା ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.