‘ଏନରାଫ ନୋନିଅସ ଓ ଏବିଜେ ଫାଉଣ୍ଡେସନ ମଧ୍ୟରେ ବୁଝାମଣା’

0 258

ଭୁବନେଶ୍ବର,6/08/22 (ପ୍ରତ୍ୟୁଷା ବ୍ୟୁରୋ):ଭାରତର ସ୍ୱାସ୍ଥ୍ୟକ୍ଷେତ୍ରରେ ନେଦରଲାଣ୍ଡର ଏନରାଫ ନୋନିଅସ ପୁଞ୍ଜିନିବେଶ କରିବାକୁ ଯାଉଛି । ଏପିଜେ ଫାଉଣ୍ଡେସନ ସହ ଏନେଇ ଏନରାଫ ପକ୍ଷରୁ ଆଲୋଚନା ହୋଇ ଚୁକ୍ତି ବୁଝାମଣା ଶେଷ ହୋଇଛି । ପ୍ରାୟ ୧୦ ହଜାର କୋଟିର ପୁଞ୍ଜି ନିବେଶ ହେବା ପାଇଁ ଯାଉଥିବା ବେଳେ ଓଡିଶାରୁ ଏହି ସ୍ୱାସ୍ଥ୍ୟ ବିପ୍ଳବ ଆରମ୍ଭ ହେବ ବୋଲି ଏପିଜେ ଫାଉଣ୍ଡେସନ ସୂଚନା ଦେଇଛି ।

୯୫ ବର୍ଷ ଧରି ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରୁଛି ନେଦରଲାଣ୍ଡର ଏନରାଫ ନୋନିଅସ । ଏହାର ସ୍ୱାସ୍ଥ୍ୟ ଉପକରଣ କାନାଡା, ଆମେରିକା ଠାରୁ ନେଇ ବିଶ୍ୱର କୋଣ ଅନୁକୋଣରେ ବ୍ୟବହୃତ ହୋଇଥାଏ । ତେବେ ଏନରାଫ ଏବେ ଭାରତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଯାଉଛି । ଓଡିଶାର ଏପିଜେ ଫାଉଣ୍ଡେସନ ସହାୟତାରେ ଏନରାଫ ଓ ଏପିଜେ ମିଶି ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ବିପ୍ଳବ ଆଣିବାକୁ ଯାଉଛନ୍ତି । ପ୍ରତ୍ୟେକ ରାଜ୍ୟ ରାଜଧାନୀରେ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମାନର ସୁପରସ୍ପେଷାଲିଟି ହସପିଟାଲ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ପ୍ରତିଷ୍ଠା ସହ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୂପାନ୍ତରଣ କରାଯିବ ।

ଏନେଇ ୧୦ହଜାର କୋଟି ଟଙ୍କା ନିବେଶ କରାଯିବ । ସବୁଠାରୁ ବଡ କଥା ହେଉଛି, ଏହି ସୁପରସ୍ପେଷାଲିଟି ହସପିଟାଲ ଓ ହାଇଗ୍ନୋଷ୍ଟିକ୍ ସେଣ୍ଟର ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ ହେବ ଓ ସେଠାରେ କ୍ୟାସ କାଉଣ୍ଟର ରହିବ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆୟୁଷ୍ମାନ ଭାରତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନା ଏଠାରେ ଉପଲବ୍ଧ ରହିବ । ଫଳରେ ଗରୀବ ରୋଗୀ ଉପକୃତ ହୋଇପାରିବେ । ଏ ସମ୍ପର୍କରେ ସୂଚନା ଦେଇ ଏପିଜେ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ହାତୀ କହିଛନ୍ତି ଯେ, ଅପହଞ୍ଚ ଇଲାକା, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ଫୋକସରେ ରହିବ । ଏହା ଭାରତର ପ୍ରଥମ କ୍ୟାସଲେସ ହସପିଟାଲିଟି ହେବାକୁ ଯାଉଥିବା ବେଳେ ଓଡିଶାରୁ ଏହାର ଶୁଭାରମ୍ଭ କରାଯିବ । ସରକାରଙ୍କ ସହବନ୍ଧିତାରେ ପିପିପି ମୋଡରେ ସ୍ୱାସ୍ଥ୍ୟସେବା ସୁଗମ କରାଯିବ । ୨୦୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଷାଲିଟି ହସପିଟାଲ ସହ ମେଡିକାଲ କଲେଜ, ଡାଇଗ୍ନୋଷ୍ଟିକ ସେଣ୍ଟର, ଜିଲ୍ଲା ହସପିଟାଲର ଅପଗ୍ରେଡେସନ ହେବା ଦ୍ୱାରା ୧୦ହଜାର ପାଖାପାଖି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ୫୦ ହଜାର ଲୋକଙ୍କ ଜୀବନଜୀବିକା ସୁବ୍ୟବସ୍ଥିତ ହୋଇପାରିବ । ଏହି ସ୍କିମ୍ ଓଡିଶା ତଥା ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ତିଆରି କରିବ ।

Leave A Reply

Your email address will not be published.