48ତମ ଜାତୀୟ ଜୁନିୟର ଆକ୍ଵାଟିକ ଚମ୍ପିୟାନସିପ ଆରମ୍ଭ

0 238

ଭୁବନେଶ୍ବର,16/07/22 (ପ୍ରତ୍ୟୁଷl ବ୍ୟୁରୋ):

କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସ୍ୱଇମିଙ୍ଗ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ 48 ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି I ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗପୁଲ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଥିବା ଏହି 5 ଦିନିଆ ପ୍ରତିଯୋଗିତା ଲାଗି ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି I ଖେଳାଳି ଓ ଅଫିସିଆଲ ମାନଙ୍କ ରହିବା, ଖାଦ୍ୟପେୟ ଓ ପ୍ରତିଯୋଗିତାର ସୁପରିଚାଳନା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି I

ପ୍ରତିଯୋଗିତା ଲାଗି ବିଭିନ୍ନ ରାଜ୍ୟରୁ ଖେଳାଳି ଓ ଅଫିସିଆଲ ମାନେ ବିମାନ ଓ ରେଳ ଯୋଗେ ଆସି ରାଜଧାନୀରେ ପହଞ୍ଚିଛନ୍ତି I ବିଭିନ୍ନ ହୋଟେଲ, କିଟ ବିଶ୍ୱବିଦ୍ୟାଳୟର ଅତିଥି ଶାଳା ଓ ହଷ୍ଟେଲରେ ସେମାନଙ୍କର ରହିବା ବ୍ୟବସ୍ଥା ହୋଇଛି I ଏହି ପ୍ରତିଯୋଗିତାରେ 30ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ମୋଟ 853 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି I

ସ୍ୱଇମିଙ୍ଗରେ 254 ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ 528 ଜଣ ପ୍ରତିଯୋଗୀ ରହିଥିବା ବେଳେ ୱଆଟର୍ ପୋଲୋରେ 105 ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ 325 ଜଣ ପ୍ରତିଯୋଗୀ ରହିଛନ୍ତି I ପ୍ରତିଯୋଗିତା ନିମନ୍ତେ 75ଜଣ ଟେକ୍ନିକାଲ ଅଧିକାରୀ ଏବଂ 50 ଜଣ ସହାୟକ କର୍ମଚାରୀ ରହିଛନ୍ତି I

ଓଡିଶାରୁ 12 ଜଣ ବାଳକ ଓ 8 ଜଣ ବାଳିକା ସମେତ ମୋଟ 20 ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି I ଆସନ୍ତା କାଲି ପୂର୍ବାହ୍ନରୁ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବାବେଳେ ଅପରାହ୍ନରେ କ୍ରୀଡ଼ା ଓ ଯୁବସେବାମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପ୍ରତିଯୋଗିତାର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ I

ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଚାମ୍ପିଅନସିପ ଅବସରରେ କଳାହାଣ୍ଡିରୁ ଆସିଥିବା କଳାକାରଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରାଯିବ l

Leave A Reply

Your email address will not be published.