ଭୁବନେଶ୍ୱର : ୧୧/୯/୨୦୨୬( ପି ଏନ ଏସ )ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଅଟୋନମସ୍), ଭୁବନେଶ୍ୱରରେ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏ ଓ ବି.କମ୍ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ‘ଆରୋହଣ–୨୦୨୬’ ଶୀର୍ଷକ ଏକ ଅଭିନନ୍ଦନ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷର ‘ଶୁଭାରମ୍ଭ’ ଭାବେ ‘ଆରୋହଣ–୨୦୨୬’କୁ ପାଳନ କରାଯାଇଥିଲା।ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଡାଇରେକ୍ଟର ଅପରେସନ୍ସ ତଥା ଅନରାରୀ ପ୍ରଫେସର (ହେଲ୍ଥ ଆଣ୍ଡ ୱେଲ୍ନେସ୍) ସ୍ୱାମୀ ସତ୍ୟଚୈତନ୍ୟ ଜୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ନବାଗତ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଶିକ୍ଷାଜୀବନ ପ୍ରତି ଆଶା, ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସେମାନଙ୍କୁ ଏକ ସଫଳ ଭବିଷ୍ୟତ ପାଇଁ ପ୍ରେରିତ କରାଯାଇଥିଲା।ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଅଟୋନମସ୍)ର ପ୍ରିନ୍ସିପାଲ୍ ପ୍ରଫେସର (ଡ.) ଉମାକାନ୍ତ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଶିକ୍ଷା ସହିତ ଶୃଙ୍ଖଳା, ନୈତିକତା, ଦାୟିତ୍ୱବୋଧ ଓ ମାନବୀୟ ମୂଲ୍ୟବୋଧକୁ ଜୀବନର ଅବିଚ୍ଛେଦ୍ୟ ଅଂଶ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।ସୃଷ୍ଟି ଆଲୁମ୍ନି ଆସୋସିଏସନ୍ର ସଭାପତି ତଥା ଟାଟା ଷ୍ଟିଲ୍, ଭୁବନେଶ୍ୱରର ସିନିୟର ମ୍ୟାନେଜର–ଏଚ୍ଆର୍ଏମ୍ ଶ୍ରୀ ଅଂଶୁମାନ ନାରାୟଣ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କର୍ପୋରେଟ୍ ଜଗତର ଆବଶ୍ୟକତା, ଦକ୍ଷତା ବିକାଶ ଏବଂ ଶିଳ୍ପ ଜଗତ ସହିତ ଶିକ୍ଷାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ବିଶ୍ୱ ସ୍କିଲ୍ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ସେ ବର୍ତ୍ତମାନର ଚାକିରି ବଜାରରେ ଦକ୍ଷତା, ନବସୃଜନ, ବ୍ୟବହାରିକ ଜ୍ଞାନ ଓ ଶିଳ୍ପ-ଉପଯୋଗୀ କୌଶଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ରୁଚି ଓ ପ୍ରତିଭା ଅନୁଯାୟୀ ଦକ୍ଷତା ବିକାଶ କରିବା ସହ ନିଜକୁ ଭବିଷ୍ୟତର ନିଯୁକ୍ତି ବଜାର ପାଇଁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।ସୃଷ୍ଟି ଏକାଡେମୀର ଚେୟାରମ୍ୟାନ୍ ଇଞ୍ଜିନିୟର ସରୋଜ କୁମାର ସାହୁ ନବାଗତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଶିକ୍ଷାଜୀବନରେ ନିରନ୍ତର ପରିଶ୍ରମ, ଶୃଙ୍ଖଳା ଓ ଲକ୍ଷ୍ୟନିଷ୍ଠତାର ଗୁରୁତ୍ୱ ବିଷୟରେ ମତ ପ୍ରକାଶ କରିଥିଲେ। ସଫଳତା ପାଇବା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି ନିଷ୍ଠାର ସହିତ ଆଗେଇ ଯିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ଡିନ୍ (ପ୍ଲେସମେଣ୍ଟ) ତଥା ହେଡ୍, ୟୁଜି ପ୍ରୋଗ୍ରାମ୍ସ ପ୍ରଫେସର (ଡ.) ଗଙ୍ଗାଧର ମିଶ୍ର ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ନେତୃତ୍ୱ ଗୁଣ, ଯୋଗାଯୋଗ ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କହିଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଡାଇରେକ୍ଟର ଅପରେସନ୍ସ ତଥା ଅନରାରୀ ପ୍ରଫେସର (ହେଲ୍ଥ ଆଣ୍ଡ ୱେଲ୍ନେସ୍) ସ୍ୱାମୀ ସତ୍ୟଚୈତନ୍ୟ ଜୀ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ସହିତ ମାନସିକ ଶାନ୍ତି, ସକାରାତ୍ମକ ଚିନ୍ତାଧାରା ଓ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ବିଷୟରେ ପ୍ରେରଣାଦାୟକ ମାର୍ଗଦର୍ଶନ ଦେଇଥିଲେ।ଏହି ଅବସରରେ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏ ଓ ବି.କମ୍ର ନବାଗତ ଛାତ୍ରଛାତ୍ରୀମାନେ ନିଜ ନୂତନ ଶିକ୍ଷାଜୀବନର ଅନୁଭୂତି, ଆଶା-ଆକାଂକ୍ଷା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ନିଜର ଅନୁଭବ ବାଣ୍ଟିଥିଲେ।କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଏମ୍ବିଏ ଓ ଏମ୍ସିଏର ନବାଗତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ‘ମିଷ୍ଟର ଫ୍ରେଶର’ ଓ ‘ମିସ୍ ଫ୍ରେଶର’ ଚୟନ। ଏହି ଅବସରରେ ବିଜେତାମାନଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ୨୦୨୬ ବର୍ଷ ପାଇଁ ଅନୁଷ୍ଠାନର ‘କ୍ୟାମ୍ପସ୍ ରିପୋର୍ଟର’ ଓ ‘ଭଏସ୍ ଅଫ୍ ସୃଷ୍ଟି’ ଚୟନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷା ପ୍ରଫେସର (ଡ.) ପ୍ରଜ୍ଞାନ ପି. ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଅଧ୍ୟାପିକା କଲ୍ୟାଣୀ ସେନାପତି କାର୍ଯ୍ୟକ୍ରମର ସଞ୍ଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।