ଭୁବନେଶ୍ୱର, ୩ ଜୁଲାଇ ୨୦୨୫ : (ପ୍ରତ୍ୟୁଷା ବ୍ୟୁରୋ )ଅଗ୍ରଣୀ ଅନୁଷ୍ଠାନ ଭ୍ୟୁଜ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ହୋଟେଲ ଲାଇଫ ସମ୍ମିଳନୀ ଗୃହରେ ଆରମ୍ଭ ହୋଇଛି l ଏଥିରେ ଓଡ଼ିଶାରେ ବ୍ୟାପକ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ମତ ପ୍ରକାଶ ପାଇଛି । ତୃଣ ମୂଳ ସ୍ତରରେ ରହି ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ କାମ କରୁଥିବା ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗ ଦେଇ ବିନା ସରକାରୀ ପ୍ରୋତ୍ସାହନରେ କାର୍ଯ୍ୟ କରୁଥିବା କହିଛନ୍ତି l ସେମାନେ କହିଛନ୍ତି ରାଜ୍ୟରେ ଜଙ୍ଗଲ, ଜମି, ବେଳାଭୂମି, ପାହାଡ଼, ଝରଣା ରହିଥିଲେ ମଧ୍ୟ ତାହାର ଭରପୂର ବିନିଯୋଗ ହୋଇପାରୁ ନାହିଁ। ସହରୀକରଣ ଦ୍ବାରା ଚାଷ ଜମି ପ୍ରଭାବିତ ହେଉଥିବା ବେଳେ ଶିଳ୍ପାୟନ ଦ୍ଵାରା ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଓଡ଼ିଶା ଉପକୂଳ ଓ ସାମୁଦ୍ରିକ ସମ୍ପଦ ମଧ୍ୟ ବହୁ ପରିମାଣରେ କ୍ଷତି ହେଉଛି। ସେମାନଙ୍କୁ ସୁରକ୍ଷା ଦେଉଥିବା ସମ୍ପ୍ରଦାୟଙ୍କୁ ସଚେତନ ସହ ସୁରକ୍ଷା ଦିଗରେ ଆମକୁ ପଦକ୍ଷେପ ନେବାକୁ ହେବ। ଏଦିଗରେ ଗଣମାଧ୍ୟମର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଭିୟୁଜ୍’ ପକ୍ଷରୁ କର୍ମଶାଳାରେ ଯୋଗଦେଇଥିବା ବକ୍ତାମାନେ ମତପ୍ରକାଶ କରିଛନ୍ତି। କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ଭିୟୁଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ୍ ଭୀମାରାଓ ସ୍ବାଗତ ଭାଷଣ ଦେଇ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ‘କମନ୍ ଗ୍ରାଉଣ୍ଡ୍’ର ଶିଶିର କୁମାର ପ୍ରଧାନ ଯୋଗଦେଇ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ | ପ୍ରଥମ ଦିନରେ ଅନୁଷ୍ଠିତ ୫ଟି ଅଧିବେଶନରେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗଦେଇ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ।ଆସନ୍ତା କାଲି ମଧ୍ୟ ଏହି ଆଲୋଚନା ଜାରି ରହିବ l