ଭୁବନେଶ୍ୱର: ୦୯ ଜୁନ ୨୦୨୫ ( ପି ଏନ ଏସ ) ପ୍ରତି ବର୍ଷ ପରି ଚଳିତ ବର୍ଷ ଜୁନ ୯ ତାରିଖରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆନ୍ତର୍ଜାତିକ ଅଭିଲେଖ ଦିବସ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଉତ୍ସବର ସେମିନାରରେ ଡ. ରାଜୀବ ଲୋଚନ ସାହୁ, ପ୍ରାକ୍ତନ ମୁଖ୍ୟ ଅଭିଲେଖପାଳ ତଥା ମହାପ୍ରବନ୍ଧକ, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିଲେଖାଗାର, ପୁଣେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଚଳିତ ଆନ୍ତର୍ଜାତିକ ଅଭିଲେଖ ଦିବସର ବିଷୟ ବସ୍ତୁ ଅଭିଲେଖାଗାର ଉପଲବ୍ଧ– ସମସ୍ତଙ୍କ ପାଇଁ ଅଭିଲେଖାଗାର #ArchivesAreAccessible-Archives for Everyone ଉପରେ ନିଜର ବକ୍ତବ୍ୟ ରଖୁଥିଲେ । ବିଭାଗୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ସମ୍ମାନୀୟ ଅତିଥ୍ୟ ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ, ଡ. ଶେଖ୍ ସୋଲେମାନ ଅଲ୍ଲୀ ପ୍ରାରମ୍ଭିକ ଭାଷଣରେ ପ୍ରତି ନାଗରିକଙ୍କୁ ଜଣେ ଜଣେ ଅଭିଲେଖବିତ୍ ହେବା ପାଇଁ ଆହ୍ବାନ ଦେବା ସହ ବିଶ୍ଵର କୋଣ ଅନୁକୋଣରେ ଥିବା ସମସ୍ତ ଅଭିଲେଖବିତ୍ଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ଵତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀମତୀ ବନାନୀ ମହାପାତ୍ର । ମୁଖ୍ୟବକ୍ତା ଡ. ରାଜୀବ ଲୋଚନ ସାହୁ କହିଥିଲେ ଯେ ଆନ୍ତର୍ଜାତୀୟ ଅଭିଲେଖ ଦିବସ ପାଳନର ଉଦ୍ଦେଶ୍ୟ ଅଭିଲେଖର ସ୍ଥାୟୀ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟିକରିବା । ଓଡ଼ିଶାରେ ଅଭିଲେଖୀୟ ନୀତି କିମ୍ବା ସାର୍ବଜନୀନ ରେକର୍ଡ଼ ଅଧ୍ଵନିୟମ ପ୍ରଣୟନ କରିବାର ଆବଶ୍ୟକତା ଉପରେ ସେ ଆଲୋକ ପାତ କରିଥିଲେ, ଯାହା ବିଧ୍ଵବଦ୍ଧ ବ୍ୟବସ୍ଥା ଅନୁସାରେ ସାର୍ବଜନୀନ ରେକର୍ଡ଼କୁ ଓଡ଼ିଶା ରାଜ୍ୟ ଅଭିଲେଖାଗାରକୁ ହସ୍ତାନ୍ତର କରିବାରେ ସହାୟକ ହେବ । ଯେହେତୁ ସ୍ଥାୟୀ ସଂରକ୍ଷଣ ପାଇଁ ଯୋଗ୍ୟ ରେକର୍ଡ଼ଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଉଛି, ସେ ଏହି ବିଷୟ ଉପରେ ଗୁରୁତ୍ଵ ଆରୋପ କରିଥିଲେ ଯେ ସରକାରୀ କାର୍ଯ୍ୟାଳୟରେ ସାମ୍ପ୍ରତିକ ରେକର୍ଡ଼ଗୁଡ଼ିକ ପରିଚାଳନା କରିବା ପାଇଁ ଏକ ଉତ୍ସର୍ଗୀକୃତ ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାୟୀ ରେକର୍ଡ଼ଗୁଡ଼ିକ ଚିହ୍ନଟ କରିବାରେ ସାହାଯ୍ୟ କରିବ ।