ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ ଉଚ୍ଚତାରେ ଉଡିଲା ଜାତୀୟ ପତାକା ଭାରତୀୟତାର ପରିଚୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସଭିଏଁ ଏକାଠି ଲଢିବା : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ।

0 8

ଭୁବନେଶ୍ୱର, ୧୮/୧୨/୨୦୨୪: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଅଛି । ଫ୍ଲାଗ ଇଣ୍ଡିଆ ପ୍ରତିଷ୍ଠାନର ପ୍ରୋତ୍ସାହନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହାକୁ ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରୋଟୋକଲ ଅନୁଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ଅଡିଟୋରିୟମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ମା’ ରମାଦେବୀ ସମଗ୍ର ଦେଶରେ ପରିଚିତ ଏବଂ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ । ମାତୃଶକ୍ତି ଚିରବନ୍ଦନୀୟ । ଏହି ପରିପ୍ରେକ୍ଷୀରେ ସେ ରାମାୟଣର ମାତା ସୀତାଙ୍କ କଥା ଉଲ୍ଲେଖ କରିଥିଲେ । ବେଦପୁରାଣରେ ମଧ୍ୟ ଦେବଦେବୀମାନଙ୍କୁ ସେମାନଙ୍କ ମା’ଙ୍କ ପରିଚୟରେ ଜଣା ଯାଉଥିଲା । ସେହିଭଳି ଭାରତ ବର୍ଷରେ ଆମେ ମାତୃଭୂମିକୁ ମଧ୍ୟ ମା’ ବୋଲି ମାନି ଆରାଧନା କରିଥାଉ । ଓଡ଼ିଶାର ଇତିହାସ ଅତି ସମୃଦ୍ଧ । ନାରୀଜାତିର ଅଗ୍ରଗତି ଆମ ଇତିହାସର ମୂଳ ପିଣ୍ଡରେ ଅଛିବୋଲି ସେ କହିଥିଲେ । ଏହା ଆମ ଇତିହାସ ଓ ସଂସ୍କୃତିର ଶକ୍ତି । ଛାତ୍ରୀଙ୍କୁ ଦେଶ ତଥା ବିଶ୍ୱର ଇତିହାସ ଜାଣିବା ସହ ଓଡ଼ିଶାର ଗୌରବମୟ ଇତିହାସ ଜାଣିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବେ ଗର୍ବ ଅନୁଭବ କରନ୍ତି ବୋଲି କହିବା ସହ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ପତାକା ଆରୋହଣ ବର୍ଷତମାମ୍‌ ଛାତ୍ରୀମାନଙ୍କ ମଧ୍ୟରେ ଜାତୀୟତାବାଦ ଉଦ୍ରେକ କରିବ ବୋଲି କହିଥିଲେ । ମା’ ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ବର୍ଷ ବ୍ୟାପି କାର୍ଯ୍ୟକ୍ରମ ପାଳନର ଯୋଜନା ପାଇଁ ସେ କୁଳପତି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ । ୨୦୩୬ରେ ଓଡ଼ିଶାର ରାଜ୍ୟଗଠନର ଶତବାର୍ଷିକୀ ପାଳନ ଅବସରରେ ମା’ ରମାଦେବୀଙ୍କ ତ୍ୟାଗ ଓ ଆଦର୍ଶ ସଭିଙ୍କୁ ନିଶ୍ଚୟ ଅନୁପ୍ରାଣିତ କରିବ । ଯେଉଁ ଭଉଣୀମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ତାଙ୍କ ପାଇଁ ଆମେ ସମସ୍ତେ କାମ କରିବା ଉଚିତ ବୋଲି ସେ କହିଥିଲେ । ସାଂସଦ ତଥା ଫ୍ଲାଗ ଇଣ୍ଡିଆ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ ଜିନ୍ଦଲଙ୍କ ବକ୍ତବ୍ୟ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ସେ ୧୫୮ତମ ଜାତୀୟ ପତାକା ଧ୍ୱଜା ରୋହଣ ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଥିଲେ ତଥା ମା’ ରମାଦେବୀଙ୍କ ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରିଥିଲେ । କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ମେଜର ଅସୀମ କୋହଲି ବକ୍ତବ୍ୟ ରଖିଥିଲେ । ଜିନ୍ଦଲ ଇସ୍ପାତର କର୍ପୋରେଟ ସାମାଜିକ ଦାୟିତ୍ୱ ମୁଖ୍ୟ ଡ଼ ପ୍ରଶାନ୍ତ କୁମାର ହୋତା ଜାତୀୟ ପତାକା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.