ସାପ୍ତାହିକୀ ‘ଦେଶ ବିଦେଶ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ।

0 86

ଭୁବନେଶ୍ୱର, ୨୮.୨ ( ପ୍ରତ୍ୟୁଷା ବ୍ୟୁରୋ ) : ସକାରାତ୍ମକ ଆଭିମୁଖ୍ୟ ଆଧାରିତ ସମ୍ବାଦ ପରିବେଷଣ ଦ୍ବାରା ମାନବ ସମାଜର ବହୁବିଧ ଉନ୍ନତି ସାଧୂତ ହୋଇଥାଏ । ସାମ୍ବାଦିକତା ବୃଦ୍ଧି ନିର୍ବାହ କରୁଥିବା ଓଡ଼ିଶାର ସାମ୍ବାଦିକ ଓ ସମ୍ବାଦପତ୍ର ରାଜ୍ୟର ବୃହତ୍ତର ସ୍ଵାର୍ଥ ସମ୍ବଳିତ ସମସ୍ୟା ଗୁଡ଼ିକୁ ଲୋକଲୋଚନକୁ ଆଣିବା ସହିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ଅବିରତ ଲେଖନୀ ସ୍ଖଳନା ଜାରି ରଖିଛନ୍ତି । ହେଲେ ସେମାନଙ୍କର ସମସ୍ୟା ପ୍ରତି ସରକାରଙ୍କର ଏଯାବତ୍ ଶୁଭଦୃଷ୍ଟି ପଡ଼ିନାହିଁ । ବର୍ତ୍ତମାନ ସମୟରେ ସାମ୍ବାଦିକ ଓ ସମ୍ବାଦପତ୍ରର ସମସ୍ୟା ପ୍ରତି ସରକାର ତୁରନ୍ତ ଅନୁକୂଳ ମନୋଭାବ ପୋଷଣ କରିବା ସହିତ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି । ସାପ୍ତାହିକ ସମ୍ବାଦପତ୍ର ‘ଦେଶ-ବିଦେଶ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥ ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ମୁଖ୍ୟବକ୍ତା ଭାବେ ‘ ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଶିଷ୍ଟ ବେଦ ବିଶାରଦ ତଥା କଂଗ୍ରେସ ସେବାଦଳ ମୁଖ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନର ସୀତାବଲ୍ଲଭ ମହାପାତ୍ର ପ୍ରମୁଖ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ସାମ୍ବାଦିକମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.