ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ବୈଠକ ୫ଟି ରାଜ୍ୟ ନିର୍ବାଚନର ବାର୍ତ୍ତା- ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଦଳମାନଙ୍କର ଏକତା ହିଁ ଫାସିବାଦୀ ଶକ୍ତିଙ୍କୁ ପରାସ୍ତ କରିପାରିବ ।
ଭୁବନେଶ୍ୱର, ତା.୧୮/୧୨ ( ପ୍ରତ୍ୟୁଷା ବ୍ୟୁରୋ):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରଠାରେ ଡିସେମ୍ବର ୧୬ ଓ ୧୭ ଦୁଇଦିନ ଧରି ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଏଥୁପୂର୍ବରୁ, ୧୫ ତାରିଖରେ ପାର୍ଟିର ସମ୍ପାଦକମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା । ସିପିଆଇ ସାଧାରଣ ସମ୍ପାଦକ କମ୍ରେଡ଼ ଡି ରାଜା ବର୍ତ୍ତମାନର ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବା ସହିତ ସଂପ୍ରତି ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ସମୀକ୍ଷା କରିଥିଲେ । ଏହି ନିର୍ବାଚନର ଫଳାଫଳ ସ୍ପଷ୍ଟ ବାର୍ତ୍ତା ଦେଉଛିଯ, ଜନବିରୋଧୀ କର୍ପୋରେଟ୍ ପକ୍ଷପାତି ସାମ୍ପ୍ରଦାୟିକ ବିଜେପି ସରକାରକୁ ପରାସ୍ତ କରିବା ପାଇଁ ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଓ ଦେଶପ୍ରେମୀ ଶକ୍ତିଙ୍କୁ ଐକ୍ୟବଦ୍ଧ ହୋଇ ଲଢ଼ିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନାରେ କଂଗ୍ରେସ ଓ ସିପିଆଇର ମିଳିତ ବୁଝାମଣାର ସଫଳତା ବେଶ୍ ଉତ୍ସାହପ୍ରଦ । ସିପିଆଇ ତେଲେଙ୍ଗାନା ରାଜ୍ୟ ଶାଖା ଏବଂ ରାଜ୍ୟର ଜନସାଧାରଣଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିର୍ଦ୍ଧାରଣ ହୋଇଛି ଯେ, ୨୦୨୪ ସଂସଦୀୟ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ନେତୃତ୍ବର ଅହଙ୍କାର ଓ ଔଦ୍ଧତ୍ୟ ଏବଂ ସେମାନଙ୍କର ସାମ୍ପ୍ରଦାୟିକ ଧୃବୀକରଣ ଉଦ୍ୟମ ଅଧ୍ବକ ବୃଦ୍ଧି ପାଉଛି। ସିପିଆଇ ‘ ଇଣ୍ଡିଆ’ ମେଣ୍ଟର ଏକ ଅଂଶୀଦାର ଦଳଭାବରେ ଏହି ଜନବିରୋଧୀ ଫାସିଷ୍ଟ ଶକ୍ତିଙ୍କୁ ପରାଜିତ କରି ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଶକ୍ତିମାନଙ୍କର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଦେଶର ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳମାନଙ୍କ ମଧ୍ୟରେ ଏକତାକୁ ଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ।