ଶ୍ରୀମନ୍ଦିରରେ ହୋଲି ପର୍ବ

0 130

ପୁରୀ 07/3 ( ପ୍ରତ୍ୟୁଷା ବ୍ୟୁରୋ ):ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇଥାଏ ଏହାପରେ ପାଳିଆ ମେକାପ ଭଣ୍ଡାର ଘରୁ ଅଧିବାସ ହୋଇଥିବା ଚନ୍ଦନ ବିଜେ କରି ନେଇଥାନ୍ତି । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉଙ୍କ ସର୍ବାଙ୍ଗ ନୀତି କରିଥାନ୍ତି । ଏହା ଉତ୍ତରାରେ ଶ୍ରୀ ଦେବୀ ଓ ଭୂଦେବୀ ଚାଚେରୀ ବେଶ ନିମନ୍ତେ ଦକ୍ଷିଣ ଘରେ ପଡିଥିବା ଖତସେଜକୁ ମହାଜନଙ୍କ ହାତେ ବିଜେ କରିଥାନ୍ତି ।

ଦୋଳଗୋବିନ୍ଦ ଏହାଙ୍କ ସହିତ ଶ୍ରୀଦେବୀ ଓ ଭୂଦେବୀଙ୍କ ବେଶ ହୋଇଥାଏ। ରତ୍ନସିଂହାସନ ଉପରେ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟ ଚାଚେରୀ ବେଶ ପୁଷ୍ପାଳକ ମାନେ ବଢାଇଥାନ୍ତି। ମାଳ, ଫୁଲ କର୍ପୁର ଆଦି ଲାଗି ହୋଇଥାଏ। ଏହାପରେ ଧୋ ପଖାଳ ଚାଚେରୀ ଭୋଗ ହୋଇଥାଏ। ତତ୍ପରେ ଦକ୍ଷିଣ ଘରେ ମଧ୍ୟ ଭୋଗ ସରି ଚଳନ୍ତି ବିଗ୍ରହ ଗର୍ଭଗୃହକୁ ବିଜେ କରିଥାନ୍ତି।ଚଳନ୍ତି ପ୍ରତିମା ଭିତରକୁ ବିଜେ ହେବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରିଥାନ୍ତି । ପୂଜା ପଣ୍ଡା ପଞ୍ଚ ଉପଚାର ଭୋଗ କରିଥାନ୍ତି। ଏହାପରେ ଧୋ ପଖାଳ ହୋଇ ପଣ୍ଡା , ପତି , ମୁଦିରସ୍ତ ଘଟୁଆରି ଘରୁ ଘଣ୍ଟ , ଛତା , କାହାଳୀ ସହ ଚନ୍ଦନ ଫଗୁ ବିଜେ କରିଥାନ୍ତି। ଏହା ଶ୍ରୀଅଙ୍ଗରେ ହୋଇଥାଏ। ତତ୍ପରେ ତିନି ବାଡ଼ରେ ବନ୍ଦାପନା ନୀତି ହୋଇଥାଏ। ସିଂହାସନ ତଳେ ମୁଦିରସ୍ତ ତିନି ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରିଥାନ୍ତି।

ଆଲଟ ଚାମର ନୀତି ମଧ୍ୟ ହୋଇଥାଏ। ଏହାପରେ ପୂଜାପଣ୍ଡା ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ଆଣି ଦୋଳଗୋବିନ୍ଦ ଙ୍କୁ ଦେବା ଉତ୍ତରା ରେ ମହାଜନ ସେବକ ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଲକ୍ଷ୍ମୀ ମନ୍ଦିର ରେ ପଡିଥିବା ପଲଙ୍କରେ ବିଜେ କରିଥାନ୍ତି। ଏହି ଠାରେ ଲକ୍ଷ୍ମୀ ନାରାୟଣଙ୍କ ଫଗୁ ଖେଳ ହୋଇଥାଏ। ଏହାପରେ ପ୍ରସାଦ ଲାଗି ବନ୍ଦାପନା ହୋଇଥାଏ। ତତ୍ପରେ ମହାଜନ ସେବକ ପଲଙ୍କରୁ ବିଜେ ଚଳନ୍ତି ପ୍ରତିମାଙ୍କୁ ବିମାନକୁ ବିଜେ କରାଇଥାନ୍ତି।

ବିମାନବଡୁ ମାନେ ଉକ୍ତ ବିମାନକୁ ସିଂହଦ୍ୱାର ଦେଇ ଲଙ୍ଗୁଳି ମଠ ଦେଇ ଦୋଳ ବେଦୀ ଠାରେ ଅଗ୍ନି ଉତ୍ସବ ଘରକୁ ବିଜେ କରିଥାନ୍ତି। ସେଠାରେ ପୂଜାପଣ୍ଡା ହୋମ କରିବା ପରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ମଣୋହି ହୋଇଥାଏ। ଏହାସହିତ ଆଲଟ ଚାମର ମଧ୍ୟ ହୋଇଥାଏ। ଅଗ୍ନି ଘରେ ନିଆଁ ଲଗା ହୋଇଥାଏ। ବିମାନ ଅଗ୍ନିଘର ଚାରି ଆଡ଼େ ସାତ ଘେରା ବୁଲି ଥାଏ। ଏହାପରେ ଶ୍ରୀମନ୍ଦିର କୁ ବାହୁଡା ବିଜେ ହୋଇଥାଏ । ତତ୍ପରେ ବଡ଼ସିଂହାର ଭୋଗ ହୋଇ ଅନ୍ୟାନ୍ୟ ନୀତି ହୋଇଥାଏ।

Leave A Reply

Your email address will not be published.