ଅକ୍ଟୋବର ରୁ ରାଜ୍ୟରେ ଆରମ୍ଭ ହେବ ଘର କୁ ଘର ସର୍ଭେ ପ୍ରକ୍ରିୟା।

0 51

ଭୁବନେଶ୍ୱର,୨୧ ଜୁଲାଇ ( ପ୍ରତ୍ୟୁଷା ବ୍ୟୁରୋ )୨୦୨୭ ମସିହାରେ ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ସଂସ୍ଥା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ(କମିଶନର),ସମସ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟରମାନେ ସାମିଲ ହୋଇଥିଲେ। ଆଗାମୀ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆୟୁକ୍ତ ସମସ୍ତ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।ବୈଠକରେ କୁହାଯାଇଥିଲା ଯେ, ଦ୍ୱାରକୁ ଦ୍ୱାର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍‌ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହା ସହିତ ପ୍ରତ୍ୟେକ ଘରକୁ କ୍ରମିକ ଘର ନମ୍ବର ପ୍ରଦାନ, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ କରିବା, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରଯିବାକୁ ଆଲୋଚନା ହୋଇଥିଲା।ସର୍ଭେ ପାଇଁ ପ୍ରତ୍ୟେକ ଦଳରେ ସମ୍ପୃକ୍ତ ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ଟିମ୍ ଲିଡର ଭାବେ ନିଯୁକ୍ତ କରାଯିବ। ତାଙ୍କୁ ଦୁଇଜଣ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିବେ। ଆବଶ୍ୟକ ସ୍ଥଳେ ଆଶା କର୍ମୀ, ଜଳ ସାଥୀ କିମ୍ବା ସ୍ୱଚ୍ଛ ସାଥୀଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ। ବ୍ଲକ ଓ ସହରାଞ୍ଚଳ ସ୍ତରରେ ସୁପରଭାଇଜର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମଗ୍ର ପ୍ରକ୍ରିୟାର ତଦାରଖ କରିବେ। ଏ ସମସ୍ତ ପ୍ରକ୍ରିୟା ଜୁଲାଇ ୩୧ ସୁଦ୍ଧା ସାରିବାକୁ ଆଲୋଚନା ହୋଇଥିଲା।ବୈଠକରେ ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା ଜାନୁଆରୀ ୧, ୨୦୨୭ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ଏବଂ ଫେବୃଆରୀ ୧୦, ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଂଶୋଧନ ଓ ନିରୁପାଦିକ କରିବା ପାଇଁ ପ୍ରଶାସନିକ ସ୍ତରରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକୁ କଡ଼ାକଡ଼ି ଭାବେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ବଞ୍ଚିତ ନହୁଅନ୍ତି, ସେଥିପାଇଁ ନୂତନ ଆବେଦନକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ସହ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବାକୁ କୁହାଯାଇଛି।ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରି ଏକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଚୂଡ଼ାନ୍ତ ଭୋଟର ତାଲିକା ସମୟସୀମା ମଧ୍ୟରେ ପ୍ରକାଶ କରିବାକୁ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି।ଭୋଟରଙ୍କ ସୁବିଧା ଦୃଷ୍ଟିରୁ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯେପରି କ୍ରମାନୁସାରେ ଗୋଟିଏ  ବୁଥ୍‌ରେ ରହିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି,ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ସଠିକ୍ ଓ ପୂର୍ଣ୍ଣାଙ୍ଗ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।ଏହି ବୈଠକରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ,ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ସନ୍ତୋଷ କୁମାର ଦାଶ ଙ୍କ ସମେତ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ(କମିଶନର),ସମସ୍ତ  ଜିଲ୍ଲାର ର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ଡେ଼ପୁଟି କଲେକ୍ଟର(ନିର୍ବାଚନ) ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.