ଭୁବନେଶ୍ୱର, ୧୬-୦୭-୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ )ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଆଜି ପୁରୀରେ ଅତ୍ୟନ୍ତ ଭକ୍ତି, ଭାବ, ଉତ୍ସାହ ଓ ପ୍ରଶାସନିକ ସମନ୍ୱୟ ସହିତ ଅନୁଷ୍ଠିତ ହୋଇଯାଇଛି । ଦିନ ତମାମ୍ ଲଗାଣ ବର୍ଷା ଏବଂ ପ୍ରତିକୂଳ ପାଗ ସତ୍ତ୍ୱେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରାଜ୍ୟ, ଦେଶ ଏବଂ ବିଦେଶରୁ ପ୍ରାୟ ୮ ରୁ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ରଥ ଟଣା ସମେତ ରଥଯାତ୍ରା ସହ ଜଡିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଅନୁଷ୍ଠିତ ହୋଇଛି ଏବଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସମ୍ପନ୍ନ ହୋଇଛି । ଗୋବର୍ଦ୍ଧନ ପୀଠାଧୀଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରଥ ନିକଟକୁ ଆସି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାଜ୍ୟ ସରକାର ରଥଯାତ୍ରାର ସଫଳ ପରିଚାଳନା ପାଇଁ ବ୍ୟାପକ ଏବଂ ବହୁସ୍ତରୀୟ ବ୍ୟବସ୍ଥା କରିଥିଲେ । ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା, ଓଡ଼୍ରାଫ୍, NDRF, ପରିବହନ, ପୌର ପ୍ରଶାସନ, ଜନସ୍ୱାସ୍ଥ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ବିଭାଗକୁ ସାମିଲ କରି ବ୍ୟାପକ ଯୋଜନା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା । ୨୪ ଘଣ୍ଟିଆ ପର୍ଯ୍ୟବେକ୍ଷଣ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ସିସିଟିଭି କଭରେଜ୍, ଘୋଷଣା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଜରୁରୀକାଳୀନ ଚିକିତ୍ସା ସହାୟତା ମାଧ୍ୟମରେ ଭକ୍ତମାନଙ୍କ ସୁରକ୍ଷିତ ଏବଂ ସୁବିଧାଜନକ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଥିଲା । ଭକ୍ତଙ୍କ ବିପୁଳ ସମାଗମ ଓ ଲଗାଣ ବର୍ଷା ଯୋଗୁ କିଛି ସ୍ୱାସ୍ଥ୍ୟ ସମସ୍ୟା ନଜରକୁ ଆସିଥିଲା । ଏହି ସମୟରେ ୭ ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ପୁରୁଷ ଭକ୍ତ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରିଛନ୍ତି ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ପୃଥକ ଭାବରେ ଆଉ ଏକ ଘଟଣାରେ, ଅନ୍ୟ ଜଣେ ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ, ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା । ଗୁଣ୍ଡିଚା ଯାତ୍ରା ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁପରିଚାଳିତ ହୋଇପାରିଛି । କୌଣସି ଦଳାଚକଟା ଘଟଣା ହୋଇନାହିଁ କିମ୍ବା ଭିଡ଼ ପରିଚାଳନାରେ କୌଣସି ଅସୁବିଧା ହୋଇନାହିଁ । ପ୍ରଶାସନ, ସୁରକ୍ଷା ଏଜେନ୍ସି, ସେବାୟତ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ସମନ୍ୱିତ ପ୍ରୟାସରେ ଆଜିର ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ସେବାୟତଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇଛନ୍ତି ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କୁ ସେମାନଙ୍କର ଧୈର୍ଯ୍ୟ, ଶୃଙ୍ଖଳା ଏବଂ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଏହି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ନିରାପତ୍ତା ଓ ସୁବିଧା ନିମନ୍ତେ ଭିତ୍ତିଭୂମି, ଜନସେବା ତଥା ନିରନ୍ତର ପ୍ରଶାସନିକ ସେବା ଯୋଗାଣରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।