ମୋକିମଙ୍କ ଫୋକସରେ ପୌର ନିର୍ବାଚନ

0 20

ଭୁବନେଶ୍ୱର : ୮ /୭/୨୦୨୬( ପ୍ରତ୍ୟୁଷା ବ୍ୟୁରୋ)

ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାପତି ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ପଦାଧିକାରୀ ଯୋଗ ଦେଇ ମୌଳିକ ସମସ୍ୟାର ସମାଧାନ ସହ ଦଳର ସଂଗଠନକୁ ସୁଦୃଢ଼ କରିବା କ୍ଷେତ୍ରରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଦଳର ସଭାପତି ଶ୍ରୀ ମୋକିମ ରାଜ୍ୟ ଓ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ନିରନ୍ତର ନିଷ୍ଠାପର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି। ରାଜ୍ୟ ଓ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ସର୍ବୋପରି ତେଣୁ ଓଡ଼ିଶା ଜନତା କଂଗ୍ରେସ ସମସ୍ତ ସମସ୍ୟାର ସମାଧାନ ଓ ନ୍ୟାୟ ପ୍ରଦାନ ଦିଗରେ ଅହର୍ନିଶି କାର୍ଯ୍ୟ କରିବ ଓ ରାଜ ରାସ୍ତାରେ ଲଢେଇ ପର୍ଯ୍ୟନ୍ତ ସର୍ବଦା ପ୍ରସ୍ତୁତ ହୋଇ ରହିଛି । ଉପସ୍ଥିତ ସମସ୍ତ ରାଜ୍ୟ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ମୁଖପାତ୍ର ଓ ଛାମୁଆ ସଂଗଠନର ମୁଖ୍ୟମାନେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ନିଜ ବିଭାଗ ସମ୍ପର୍କରେ ସବିଶେଷ ତଥ୍ୟ, ପ୍ରସ୍ତାବ ଓ ବିଚାର ଉପସ୍ଥାପନା କରିବା ସହିତ କିପରି ସଂଗଠନ ମଜବୁତ ସହିତ ରାଜ୍ୟରେ ଏକ ଦୃଢ଼ ରାଜନୈତିକ ଶକ୍ତି ଭାବେ ରାଜ୍ୟବାସୀଙ୍କ ସ୍ୱର ହୋଇ ସଶକ୍ତ ଓଡ଼ିଶା ଗଠନର ସାରଥୀ ହେବ ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ । ଆଗାମୀ ଦିନରେ ସଭ୍ୟ ସଂଗ୍ରହକୁ ବିଶେଷ ପ୍ରାଧାନ୍ୟ ଦିଆଯିବା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଏକ ମାସ ଭିତରେ ଜିଲ୍ଲା କମିଟି ଗଠନ ଏବଂ ଘୋଷିତ ଜିଲ୍ଲାରେ ବୁଥ୍ ସ୍ତରରୁ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତି ନିଆଯାଇଛି । ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ମାସକୁ ଅତିକମରେ ଦୁଇଟି ସ୍ଥାନୀୟ ସମସ୍ୟାକୁ ନେଇ ପ୍ରତିବାଦ ସଭା ଆୟୋଜନ କରାଯିବା ସହିତ ଆଗାମୀ ତିନି ମାସ ପରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁନର୍ବାର ଅନୁଷ୍ଠିତ ହେବ ଏବଂ ଦିଆଯାଇଥିବା ଦାୟିତ୍ୱର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ । ଆସନ୍ତା ମାସ ଅଗଷ୍ଟ ପ୍ରଥମ ସପ୍ତାହରେ ପୁରୀ ଠାରେ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି।ଓଜେସିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ପଞ୍ଚାୟତ ଏବଂ ବିଶେଷ କରି ପୌର ନିର୍ବାଚନକୁ ପ୍ରାଥମିକତା ଦେବାସହ ଦୃଢ଼ତାର ସହିତ ନିର୍ବାଚନକୁ ଲଢ଼ିବା ପାଇଁ ନିଷ୍ପତି ନିଆଯାଇଛି । ଆସନ୍ତା ପୌର ଏବଂ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକଙ୍କ ସମସ୍ୟାକୁ ନେଇ ପ୍ରଚାର ଗାଡ଼ି ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରତ୍ୟେକ ଜିଲ୍ଲା ପାଇଁ ଜିଲ୍ଲା ପ୍ରଭାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହିତ ମାସକୁ ଅତିକମରେ ତିନିଥର ଜିଲ୍ଲା ଗସ୍ତ କରିବା ପାଇଁ କୁହାଯାଇଛି । ଦଳର ଯୁବ ଏବଂ ମହିଳା ସାମ୍ମୁଖ୍ୟ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ଯୁବକ ଓ ମହିଳା ମାନଙ୍କ ପାଖରେ ପହଞ୍ଚିବା ପାଇଁ ନିଷ୍ପତ୍ତି ହୋଇଛି । ଦଳର ଆଜିର କାର୍ଯ୍ୟକାରିଣୀ ବୈଠକରେ ଆସିଥିବା ସମସ୍ତ ପ୍ରସ୍ତାବ ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଭବିଷ୍ୟତ ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବ ।

Leave A Reply

Your email address will not be published.