ଭୁବନେଶ୍ୱର :୨୦/୩- ତେରାପନ୍ଥ ଧର୍ମସଂଘର ଶାସନମାତା,ସାଧ୍ୱୀପ୍ରମୁଖା କନକପ୍ରଭାଜୀଙ୍କର ପବିତ୍ର ସଂଘାରାପୂର୍ବକ ମହାପ୍ରୟାଣ ପରେ ଆଜି ତାଙ୍କ ଉଦ୍ଦେଶ୍ୟରେ ଏକ ପୁଣ୍ୟସ୍ମୃତିସଭାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ତେରାପନ୍ଥ ଭବନରେ ମହାତପସ୍ୱୀ ଯୁଗପ୍ରଧାନ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କର ସୁଶିଷ୍ୟ ମୁନି ଶ୍ରୀ ଜିନେଶକୁମାରଜୀଙ୍କର ସାନିଧ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ଭୁବନେଶ୍ୱର ନଗରୀର ବିଭିନ୍ନ ସଂସ୍ଥା ପକ୍ଷରୁ ଶାସନମାତାଙ୍କ ପ୍ରତି ଭାବାଂଜଳୀ ଅର୍ପଣ କରାଯାଇଥିଲା । ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭା ଦ୍ୱାରା ଆୟୋଜିତ ଏହି ସଭାରେ ଉପସ୍ଥିତ ଜନସମୁଦାୟକୁ ସମ୍ବୋଧିତ କରି ମୁନିଶ୍ରୀ ଜିନେଶ କୁମାରଜୀ କହିଥିଲେ ଯେ ଜୈନଧର୍ମର ମହତ୍ୱପୂର୍ଣ୍ଣ ସଂଗଠନ ହେଉଛି ‘ତେରାପନ୍ଥ’ । ତେରାପନ୍ଥର ପ୍ରଥମ ଗୁରୁ ଥିଲେ ଆଚାର୍ଯ୍ୟ ଭିକ୍ଷୁ ଏବଂ ଚତୁର୍ଥ ଆଚାର୍ଯ୍ୟ ଥିଲେ ଜୀତମଲଜୀ । ସେ ହିଁ ସଂଘରେ ‘ସାଧ୍ୱୀପ୍ରମୁଖା’ ପଦର ସୃଷ୍ଟି କରିଥିଲେ । ପ୍ରଥମ ସାଧ୍ୱୀପ୍ରମୁଖା ଥିଲେ ସରଦାର ସତୀ । କନକପ୍ରଭାଜୀ ଥିଲେ ଅଷ୍ଟମ ସାଧ୍ୱୀପ୍ରମୁଖା । ସେ ୮୦୦୦୦ କିଲୋମିଟର ପଦଯାତ୍ରା କରିବା ସହିତ ତିନି ଜଣ ଆଚାର୍ଯ୍ୟଙ୍କର ସେବା କରିବାର ଦୁର୍ଲଭ ଅବସର ପ୍ରାପ୍ତ ହୋଇଥିଲେ । ସେ ଅନେକ ସାହିତ୍ୟ ରଚନା ସହିତ ସେ ସସବୁର ସମ୍ପାଦନା କାର୍ଯ୍ୟ ମଧ୍ୟ କରୁଥିଲେ । ସେ ଭାଗ୍ୟଶାଳିନୀ ଥିଲେ ଯେ ତାଙ୍କୁ ଗୁରୁ ଶ୍ରୀମୁଖରୁ ଅନଶନ କରିବାପାଇଁ ଦୁର୍ଲଭ ଅବସରପ୍ରାପ୍ତ ହୋଇଥିଲା ଏବଂ ଦିଲ୍ଲୀରେ ତାଙ୍କର ସନ୍ଥାରା ସିଦ୍ଧ ହୋଇ ଯାଇଥିଲା ।
ମୁନିଶ୍ରୀ କହିଥିଲେ ଯେ ଜଣେ ସାଧ୍ୱୀପ୍ରମୁଖାଙ୍କର ଜୀବନ ଅନେକ ବିଶେଷତାରେ ଭରି ରହିଥାଏ । କନକପ୍ରଭାଙ୍କର ଆଧ୍ୟାତ୍ମିକ,ବୌଦ୍ଧିକ ଏବଂ ପ୍ରଶାସନିକ ବ୍ୟକ୍ତିତ୍ୱ ବିଶାଳ ଥିଲା । ତାଙ୍କ ଭିତରେ ଅନ୍ୟ ସାତଜଣ ସାଧ୍ୱୀପ୍ରମୁଖାଙ୍କର ବିଶେଷଗୁଣମାନ ରହିବା ସହିତ ଦାନଶୀଳତା, ମଧୁରଭାଷିତା, ନେତୃତ୍ୱକ୍ଷମତା ଓ ବିବେକଶୀଳତା ପରି ବିଶେଷଗୁଣ ଥିଲା । ମୁମୁକ୍ଷୁକଳାରୁ ସାଧ୍ୱୀକନକପ୍ରଭା ପର୍ଯ୍ୟନ୍ତ ପହଂଚିଥିବା କନକପ୍ରଭା ଅସାଧାରଣ ସାଧ୍ୱୀପ୍ରମୁଖା, ସଂଘ ମହାନିର୍ଦ୍ଦେଶିକା, ମହାଶ୍ରମଣୀ, ଶାସନମାତା ଆଦିରେ ବିଭୂଷିତ ହୋଇଥିଲେ । ଆଚାର୍ଯ୍ୟ ତୁଳସୀଙ୍କର ଏହି ବିଶେଷ ସୃଷ୍ଟିଙ୍କ ନିକଟରେ ଅତୁଳନୀୟ ଆଚାର ନିଷ୍ଠା,ଆଗମ ନିଷ୍ଠା, ମର୍ଯାଦାନିଷ୍ଠା,ସିଦ୍ଧାନ୍ତ ନିଷ୍ଠା ଆଦି ଏକତ୍ର ଦେଖିବାକୁ ମିଳୁଥିଲା ।
ନାରି ଉତଥାନ ପାଇଁ ସେ ଅନେକ କାର୍ଯ୍ୟ କରିବା ସହିତ ସଂଘର ସାଧ୍ୱୀମାନଙ୍କର ଅଧ୍ୟୟନ ଓ ଅଧ୍ୟାପନା କାର୍ଯ୍ୟରେ ଅନେକ ସହଯୋଗ ଦେଉଥିଲେ । କିଛିଦିନ ପୂର୍ବରୁ ଆଚାର୍ଯ୍ୟ ମହାଶ୍ରମଣଜୀଙ୍କ ସାନ୍ନିଧ୍ୟରେ ତାଙ୍କର ସାଧ୍ୱୀପ୍ରମୁଖା ଅମୃତ ମହୋତ୍ସବ ପାଳନ କରାଯାଇଥିଲା ।
ଆଜିର ଶ୍ରଦ୍ଧାଂଜଳୀ କାର୍ଯ୍ୟକ୍ରମରେ ଶ୍ରୀ ଜୈନ ଶ୍ୱେତାମ୍ବର ତେରାପନ୍ଥୀ ଭୁବନେଶ୍ୱର ସଭାର ଅଧ୍ୟକ୍ଷ ବଚ୍ଛରାଜ ବେତାଲା, ସମ୍ପାଦକ ପାରସ ସୁରାଣା, ଭବନ ସମିତିର ଅଧ୍ୟକ୍ଷ ସୁଭାଷ ଭୁରା, ରାଜ୍ୟ ଅଳ୍ପସଂଖ୍ୟକ ଆୟୋଗର ସଦସ୍ୟ ପ୍ରକାଶ ବେତାଲା, ତେରାପନ୍ଥ ଯୁବକ ପରିଷଦର ଅଧ୍ୟକ୍ଷ ବିବେକ ବେତାଲା,ତେରାପନ୍ଥ ମହିଳା ମଣ୍ଡଳର ଅଧ୍ୟକ୍ଷା ଶ୍ରୀମତୀ ମଧୁ ଗିଡ଼ିଆ, ବନବନ୍ଧୁ ପରିଷଦର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ମାହେଶ୍ୱରୀ ସମାଜ ତରଫରୁ ଲାଲଚନ୍ଦ ମୋହତା, ସ୍ଥାନକବାସୀ ସାଧୁମାର୍ଗୀ ସଂଘ ପକ୍ଷରୁ ନବରତନ ବୋଥରା, ବରିଷ୍ଠ ଶ୍ରବିକା ବିମଳା ଭଣ୍ଡାରୀ, ପ୍ରେମଲତା ସେଠିଆ, ‘ଜ୍ଞାନଶାଳା’ ପରିବାର ପକ୍ଷରୁ ନୟନତାରା ସୁଖାଣୀ,ଜିତେନ୍ଦ୍ର ବୈଦ ପ୍ରମୁଖ ନିଜ ନିଜର ବିଚାର ରଖିବା ସହିତ ଭାବାଞ୍ଜଳୀ ପ୍ରଦାନ କରିଥିଲେ । ଶ୍ରଦ୍ଧାନିଷ୍ଠ ସଂଗାୟକ କମଳ ସେଠିଆ, ତେରାପନ୍ଥ ମହିଳା ମଣ୍ଡଳ, ଧାରିଣୀ ସୁରାଣା, ମୁକ୍ତା ବରଡିଆ, ରିଦ୍ଧି ବରଡ଼ିଆ ଆଦି ସୁମଧୁର ସଂଗୀତ ମାଧ୍ୟମରେ ଭାବାଞ୍ଜଳୀ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମର ସମାପନ ସାମୁହିକ ଧ୍ୟାନ ସହିତ ହୋଇଥିଲା । ମୁନି ପରମାନନ୍ଦଜୀ ସ୍ମୃତିସଭାର ସଫଳତାପୂର୍ବକ ପରିଚାଳନା କରିଥିଲେ ।